କଟକ ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ

0

କଟକ (ଆମ ଟିଭି): କଟକ ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ଲକ୍ଷ ୩୧ ହଜାର ୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫ଟି ସଚିବ ଭି କେ ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ କଟକରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତ ଙ୍କ ସ୍ମୃତି ରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ କଟକ ବାସୀଙ୍କ ମତାମତ କୁ ଗ୍ରହଣ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଲାଇବ୍ରେରୀ ରେ ଏକ ବଡ ରିଡିଂ ହଲ୍ ମଧ୍ୟ ରହିବ।

ସୂଚନାଯୋଗ୍ୟ ଯେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ। ସାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ। ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍‌ଦୁରମାନଙ୍କ ସ୍ୱାର୍ଥ୍ୟର ସୁରକ୍ଷା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ। ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ଦ୍ୱାରା ସ୍ୱର୍ଗତ ପଣ୍ଡିତଙ୍କର ସ୍ମୃତିକୁ ଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କ ଅବଦାନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବସମାଜ ଅବଗତ ହେବା ସହିତ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.