ସଚ୍ଚା ଭାରତୀୟ ଏମିତି କହିବ ନାହିଁ”… ସେନା ବିରୋଧୀ ବୟାନକୁ ନେଇ ରାହୁଲଙ୍କୁ ଉପରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ

0

 ଭାରତ ଯୋଡ଼ୋ ଯାତ୍ରା ସମୟରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନାକୁ ନେଇ ଦେଇଥିବା ବୟାନକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି । କୋର୍ଟ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ପାଖରେ ଏହି ବୟାନକୁ ପ୍ରମାଣିତ କରିବା ପାଇଁ କୌଣସି ଠୋସ୍ ଦସ୍ତାବିଜ୍ ଅଛି କି ? ଶୁଣାଣି ସମୟରେ ଜଷ୍ଟିସ୍ ଦୀପାଙ୍କର ଦତ୍ତ କହିଥିଲେ, “ଯଦି ଆପଣ ବିରୋଧୀ ଦଳର ନେତା, ତେବେ ଏପରି କଥା ସଂସଦରେ କୁହନ୍ତୁ, ସୋସିଆଲ ମିଡିଆରେ କାହିଁକି ?” ସେ ପଚାରିଥିଲେ, “ଆପଣ କିପରି ଜାଣିଲେ ଯେ ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଚୀନ କବ୍‌ଜାକୁ ଚାଲିଯାଇଛି ? ଆପଣଙ୍କ ପାଖରେ ଏହା କହିବା ପାଇଁ କୌଣସି ଠୋସ୍ ପ୍ରମାଣ ଅଛି କି ?

ଆପଣ ଯାହା ଇଚ୍ଛା ତାହା କହିପାରିବେ ନାହିଁ: ଜଷ୍ଟିସ୍ ଦତ୍ତ

ଜଷ୍ଟିସ୍ ଦତ୍ତ ଆହୁରି ମଧ୍ୟ କହିଛନ୍ତି, “ଜଣେ ସଚ୍ଚା ଭାରତୀୟ ଏପରି କହିବ ନାହିଁ । ଯେତେବେଳେ ସୀମାପାରିରେ କୌଣସି ବିବାଦ ଥାଏ, ସେତେବେଳେ ଆପଣ ଏସବୁ କହିପାରିବେ କି ? ଆପଣ ସଂସଦରେ କାହିଁକି ପ୍ରଶ୍ନ ପଚାରୁନାହାନ୍ତି ? କେବଳ ଆପଣଙ୍କ ପାଖରେ ବାକ୍ ସ୍ୱାଧୀନତା ଅଛି ବୋଲି ଆପଣ ଯାହା ଇଚ୍ଛା ତାହା କହିପାରିବେ ନାହିଁ ।”ତେବେ, ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେଇ ତାଙ୍କ ବିରୋଧରେ ଚାଲିଥିବା ବିଚାର ପ୍ରକ୍ରିୟା ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି । କୋର୍ଟ ନୋଟିସ୍ ଜାରି କରି ତିନି ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ଏହି ମକଦ୍ଦମା ସୀମା ସଡ଼କ ସଂଗଠନ (Border Roads Organisation)ର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବଙ୍କ ଦ୍ୱାରା ଦାଖଲ କରାଯାଇଛି । ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଗଲୱାନରେ ଭାରତୀୟ ଓ ଚୀନ ସୈନିକଙ୍କ ସଂଘର୍ଷର ଉଲ୍ଲେଖ କରି କହିଥିଲେ ଯେ ଚୀନ ସୈନିକମାନେ ଭାରତୀୟ ସୈନିକଙ୍କୁ ମାଡ଼ ମାରୁଛନ୍ତି ।

Leave A Reply

Your email address will not be published.