ଭୁବନେଶ୍ୱର (ଆମ ଟିଭି): ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଚାଲିଛି ଟଙ୍କା କାରବାର। ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ୍। ଇଣ୍ଡିଆ ଥ୍ରିଲସ୍ ନାମକ ୱେବସାଇଟ୍ ଟଙ୍କା ମାଗୁଛି ବୋଲି ଅଭିଯୋଗ ଏବେ ସାମ୍ନାକୁ ଆସିଛି। ବିଭିନ୍ନ ବର୍ଗର ଦେୟଯୁକ୍ତ ଦର୍ଶନ ନେଇ ଉକ୍ତ ୱେବସାଇଟ୍ରେ ରଖାଯାଇଛି ତଥ୍ୟ । ଜଗନ୍ନାଥ ଦର୍ଶନ ପାଇଁ ୫୦, ୧୦୦, ୫୦୦ ଟଙ୍କା ରେଟ୍ ଚାର୍ଟ ରଖାଯାଇଛି । ଯେମିତିକି ସ୍ୱତନ୍ତ୍ର ଦର୍ଶନ ପାଇଁ ୫୦, ଶୀଘ୍ର ଦର୍ଶନ-୧୦୦, ଭିଆଇପି ଦର୍ଶନ-୫୦୦ ଟଙ୍କା ଉଲ୍ଲେଖ ରହିଛି।
ସେହିପରି ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ପାଇଁ ବିଜ୍ଞାପନ ସାମ୍ନାକୁ ଆସିଥିଲା। ସେଠାରେ ପୂଜା କରାଇବା ସହ ମିଳିବ ନିର୍ମାଲ୍ୟ ଦର୍ଶାଯାଇଛି। ପୂଜା ପରିସେବା ଡଟକମ ନାମକ ୱେବସାଇଟ ପକ୍ଷରୁ ମହାପ୍ରସାଦ ବିକ୍ରି ନେଇ ସୂଚନା ଦିଆଯାଉଛି। ଏହି ଆପ୍ଲିକେସନରେ ୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅଭିଷେକ ପୂଜା, ତୁଳସୀ ଦାନାପୂଜା, ସାଧାରଣ ଦର୍ଶନ ଏବଂ ଚତୁର୍ଦ୍ଧାବିଗ୍ରଙ୍କ ପୂଜା ଏଥିରେ ସାମିଲ କରାଯାଇଛି।