ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

0

ନୂଆଦିଲ୍ଲୀ: ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ଘୂର୍ଣ୍ଣି ବଳୟ ପ୍ରଭାବରେ ସେହି ଅଞ୍ଚଳରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ତା’ପରେ ଏହି ଅବପାତ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହିତ ଉତ୍ତର ଦିଗ ପାର୍ଶ୍ବ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତିଶୀଳ ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ଏହି ସାମୁଦ୍ରିକ ବାତ୍ୟା ଗତିପଥ ଓ ତୀବ୍ରତା ସଂକ୍ରାନ୍ତ ସବିଶେଷ ତଥ୍ୟ ଜଣାଇ ଦିଆଯିବ।

ଏହାର ପ୍ରଭାବରେ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।

୭ ତାରିଖ ପରଠାରୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗର ଉପରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ତୀବ୍ର ଝଟକା ସହିତ ୪୦ରୁ ୫୦ କିଲୋମିଟର୍‌ ବେଗରେ ବତାସ ବହିବ। ୯ ତାରିଖଠାରୁ ଏହିସବୁ ଅଞ୍ଚଳରେ ବତାସର ବେଗ କ୍ରମଶଃ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ କିଲୋମିଟର୍‌ ଝଟକା ସହିତ ୫୦ରୁ ୬୦ କିଲୋମିଟର୍‌ ବେଗରେ ପ୍ରବାହିତ ହେବ। ସେହିପରି, ୧୦ ତାରିଖ ବେଳକୁ ବତାସ ବେଗ ଆହୁରି ବୃଦ୍ଧି ପାଇ ଘଣ୍ଟାପ୍ରତି ୮୦ କିଲୋମିଟର୍‌ ଝଟକା ସହିତ ୬୦ରୁ ୭୦ କିଲୋମିଟର୍‌ ବେଗରେ ପ୍ରବାହିତ ହେବ।
୭ ତାରିଖରୁ ୧୦ ତାରିଖ ଏବଂ ତା’ ପର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାଲାଗି ବାରଣ କରାଯାଇଛି।

Leave A Reply

Your email address will not be published.