ଶାହାଙ୍କୁ ଭେଟିଲେ କୁଷ୍ଟିଯୋଧ୍ୟା
ନୂଆଦିଲ୍ଲୀ :ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଭାରତୀୟ କୁସ୍ତି ମହାସଂଘର ରେସଲରମାନେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ମାତ୍ର ଗୃହ ମନ୍ତ୍ରୀଙ୍କ ନିକଟରୁ ରେସଲରମାନେ ଆଶା ଅନୁଯାୟୀ ଆଶ୍ୱାସନା ମିଳି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
ଗତ ଶନିବାର ରାତି ପ୍ରାୟ ୧୧ଟାରେ ରେସଲରମାନେ ଅମିତ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ଏହି ରେସଲର ଙ୍କ ମଧ୍ୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ପ୍ରମୁଖ ଥିବା ଜଣାଯାଇଛି। ଏହି ଆଲୋଚନା ପ୍ରାୟ ୨ ଘଣ୍ଟା ପାଖାପାଖି ଚାଲିଥିବା ବେଳେ ନିଷ୍କର୍ସ କ’ଣ ବାହାରିଛି ତାହା ସ୍ପଷ୍ଟ ହୋଇ ନାହିଁ।
ରେସଲରମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିକଟରେ ବ୍ରିଜ ଭୂଷଣ ଙ୍କ ଗିରଫଦାରୀ ପାଇଁ ଦାବି କରିଥିଲେ। ଗୃହ ମନ୍ତ୍ରୀ ନିରପେକ୍ଷ ଭାବେ ସବୁ ଯାଞ୍ଚ ହେବ ବୋଲି କହିଥିବା ଜଣାଯାଇଛି। ଏହି ମାମଲାରେ ଆଇନ ନିଜ କାମ କରୁଛି। ପୁଲିସ୍ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ପୁଲିସ୍କୁ ନିଜ କାମ କରିବାକୁ ସମୟ ଦେବା ଉଚିତ ବୋଲି ସେ କହିଥିବା ଜଣାଯାଇଛି।
ରବିବାର ଅଲମ୍ପିଆନ୍ ସାକ୍ଷୀ ମଲ୍ଲିକଙ୍କ ମା’ ଗଣମାଧ୍ୟମ ସହ ଆଲୋଚନା କରି ଜୋଶ ପରିବର୍ତ୍ତେ ବୁଦ୍ଧିମତାରେ କାମ କରିବାକୁ ଗୃହ ମନ୍ତ୍ରୀ ପରାମର୍ଶ ଦେଇଥିବା କହିଛନ୍ତି। ଶାହ ଖେଳାଳିମାନଙ୍କୁ ଆନ୍ଦୋଳନ ସମାପ୍ତ କରିବାକୁ କହିବା ସହ ସବୁ କିଛି ଆଇନ ଅନୁଯାୟୀ ହେଉଥିବା ନେଇ ଆଶ୍ୱସନା ଦେଇଛନ୍ତି।