ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ଆପ ଓ ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ: ମେୟର୍ ନିର୍ବାଚନ ପୂର୍ବରୁ ନବନିର୍ବାଚିତ ‘ଆପ୍’ ଓ ‘ବିଜେପି’ କାଉନ୍ସିଲର୍ଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଲାଗିବାରୁ ଆଜି ଦିଲ୍ଲୀ ମୁନିସ୍ପାଲ୍ କର୍ପୋରେସନ୍ରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି।ସଦ୍ୟତମ ସୂଚନା ଅନୁସାରେ, ମେୟର୍ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ଆଗରୁ ‘ଦିଲ୍ଲୀ ମୁନିସ୍ପାଲ୍ କର୍ପୋରେସନ୍’ ଗୃହ ମୁଲତବୀ ଘୋଷଣା କରାଯାଇଛି।
‘ସିଭିକ୍ ସେଣ୍ଟର୍’ର ମଧ୍ୟସ୍ଥଳରେ ‘ଆପ୍’ ଓ ‘ବିଜେପି’ କର୍ମୀମାନେ ସ୍ଲୋଗାନ୍ ଦେଇଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ସଦସ୍ୟମାନେ ପରସ୍ପରଙ୍କୁ ଠେଲାପେଲା କରୁଥିବା ବେଳେ କେତେକ ତଳେ ପଡ଼ିଯାଉଛନ୍ତି।
ଉପରାଜ୍ୟପାଳ ଭି. କେ. ସାକ୍ସେନାଙ୍କଦ୍ବାରା ନିଯୁକ୍ତ କାମଚଳା ବାଚସ୍ପତି ସତ୍ୟ ଶର୍ମା ମନୋନୀତ ସଦସ୍ୟମାନଙ୍କର ଶପଥ ପାଠ ଆରମ୍ଭ କରାଇବାରୁ ପ୍ରତିବାଦ ଆରମ୍ଭ ହୋଇଥିଲା।
‘ଆପ୍’ ସଦସ୍ୟମାନେ କହିଥିଲେ ଯେ, ମନୋନୀତ ସଦସ୍ୟମାନଙ୍କ ଆଗରୁ ନିର୍ବାଚିତ କାଉନ୍ସିଲର୍ମାନଙ୍କ ଶପଥ ପାଠ କରାଯିବା ଉଚିତ।