ମୋଦୀଙ୍କ ଉପରେ ବର୍ଷିଲେ ଅଭିଷେକ ବାନାର୍ଜୀ
କଲକୋତା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଟିଏମ୍ସି ନେତା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ଏପରିକି ମୋ’ ସହ ଲଢ, ମୋ’ ସ୍ତ୍ରୀ, ଛୁଆଙ୍କ ସହ ନୁହଁ ବୋଲି ଖୋଲାଖୋଲି ଭାବେ ସେ କହିଛନ୍ତି। ଅଭିଷେକ ବାନାର୍ଜୀଙ୍କ ପତ୍ନୀ ନିଜ ୨ ଛୁଆଙ୍କୁ ଧରି ଦୁବାଇ ବାହାରିଥିବା ବେଳେ ଏୟାରପୋର୍ଟରେ ତାଙ୍କୁ ଅଟକାଯିବାରୁ ରାଗି ନିଆଁ ବାଣ ହୋଇଛନ୍ତି ଅଭିଷେକ । କୋଇଲା ସ୍ମଗଲିଂ କେସ୍ରେ ଇଡି କାର୍ଯ୍ୟାଳୟରେ ଆସନ୍ତା ୮ ତାରିଖରେ ହାଜର ହେବାକୁ ତାଙ୍କ ପତ୍ନୀଙ୍କୁ ନୋଟିସ ଦିଆଯିବାରୁ ଏହି ଘଟଣାରେ ଅମିତ ଶାହଙ୍କୁ ଗିରଫ କରିବାକୁ କହିଛନ୍ତି ମମତାଙ୍କ ପୁତୁରା।
ଗତ କାଲି ସକାଳେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ନରୁଲା ବାନାର୍ଜୀ ନିଜ ପୁଅଝିଅଙ୍କ ସହ ଦୁବାଇ ଯିବା ନିମନ୍ତେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ମାତ୍ର ସେଠାରେ ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇ ନ ଥିଲେ। ଏଥିସହ ଇଡି ତରଫରୁ ତାଙ୍କୁ ପଚରାଉଚରା ନିମନ୍ତେ ଆସନ୍ତା ୮ ତାରିଖରେ ହାଜର ହେବାକୁ ନୋଟିସ୍ ଦିଆଯାଇଛି। ଫଳରେ ସେ ଦୁବାଇ ଯାଇ ନ ପାରି ଫେରିବାକୁ ବାଧ୍ୟ ହୋଇଥିଲେ।
ନିଜ ପତ୍ନୀଙ୍କ ସହ ଏପରି ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଭଡ଼କିଛନ୍ତି ଅଭିଷେକ ବାନାର୍ଜୀ। ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ତୁମର ଲଢ଼େଇ ମୋ’ ସହ, ମୋ’ ପତ୍ନୀ, ପିଲାଙ୍କ ସହ ନୁହଁ ବୋଲି କହିଛନ୍ତି। ଏପରି କରି ମୋ’ ମୁଣ୍ଡ ନୁଆଁଇଦେବ ବୋଲି ଯଦି ଭାବୁଛ ତେବେ ତୁମେ ଭୁଲ୍ ବୋଲି ବି କହିବାକୁ ପଛାଇ ନାହାନ୍ତି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଟାର୍ଗେଟ କରି ନୀରବ ମୋଦି, ମେହୁଲ ଚୋକସି ଦେଶବାସୀଙ୍କ ଟଙ୍କା ଶୋଷି ପଳାଇବା ବେଳେ କ’ଣ କରୁଥିଲ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଆଦାନି ଲୋକଙ୍କ ପଇସା ଖାଇ ମାଲେମାଲ ହୋଇଥିବା ବେଳେ କ’ଣ କରୁଛ ବୋଲି ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ହଇରାଣ କରିବାକୁ କେନ୍ଦ୍ର ସରକାର ସବୁବେଳେ ସିବିଆଇକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।