ପାକିସ୍ତାନକୁ ଏସିସି ଦେଲା ମୁହଁ ତୋଡ ଜବାବ
ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ତଥା ଏସିଆନ କ୍ରିକେଟ କାଉନସିଲ(ଏସିସି)ର ଅଧ୍ୟକ୍ଷ ଜୟ ଶାହଙ୍କୁ ଟାର୍ଗେଟ କରିବା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ନଜମ ସେଠୀଙ୍କୁ ମହଙ୍ଗା ପଡ଼ିଛି। ଏସିସି ପକ୍ଷରୁ ଜୟ ଶାହ ଗୁରୁବାର ୨୦୨୩-୨୪ ବର୍ଷର କ୍ରିକେଟ କ୍ୟାଲେଣ୍ଡର ଜାରି କରିଥିଲେ।
ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ ସହ ଆଲୋଚନା ନ କରି ଶାହ ଏକତରଫା ଭାବେ ଏପରି ଘୋଷଣା କରିଥିବା ନଜମ ଅଭିଯୋଗ କରିଥିଲେ। ତାଙ୍କର ଏପରି ବୟାନକୁ ବଡ଼ା ଭାଷାରେ ନିନ୍ଦା କରିଛି ଏସିଆନ କ୍ରିକେଟ କାଉନସିଲ(ଏସିସି)।
ଏବେ ଏସିଆନ କ୍ରିକେଟିଂ ବଡି ନଜମଙ୍କୁ କଡ଼ା ଜବାବ ଦେବା ସହ କହିଛି ଯେ କ୍ରିକେଟ କ୍ୟାଲେଣ୍ଡରେ ଥିବା ବିଷୟବସ୍ତକୁ ୨୦୨୨ ଡିସେମ୍ବର ମାସରୁ ପାକିସ୍ତାନ ସମେତ ସବୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ପଠାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ କିଛି ଜବାବ ଦେଇ ନଥିଲେ। କେବଳ କିଛି ହାତ ଗଣତି ଦେଶ ମ୍ୟାଚସୂଚୀ ଓ ଫର୍ମାଟ ସମ୍ପର୍କରେ ନିଜର ପକ୍ଷ ରଖିଥିଲେ।
ପିସିବି ଅଧ୍ୟକ୍ଷ ନଜମ ସେଠୀ ନିଜର ଗୋଟିଏ ବୟାନରେ ଏସିସି ସଭାପତି ଏକତରଫା ଭାବେ କ୍ରିକେଟ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ଆରୋପ ଲଗାଇଥିବା ଆମେ ଜାଣିବାକୁ ପାଇଛୁ। ହେଲେ ଏସିସି ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ ସବୁ କିଛି ପ୍ରଚଳିତ ପ୍ରଥା ଓ ନିୟମ ଅନୁସାରେ କରାଯାଇଛି। କ୍ରିକେଟ କ୍ୟାଲେଣ୍ଡରକୁ ସଂସ୍ଥାର Development Committee and Finance & Marketing Committe ୨୦୨୨ ମସିହା ଡିସେମ୍ବର ୧୩ ତାରିଖରେ ଅନୁମୋଦନ କରିଥିଲା।
ସେହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ ସମେତ ବ୍ୟକ୍ତିଗତ ଭାବେ ସମସ୍ତ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଇ-ମେଲ କରାଯାଇଥିଲା। ୨୦୨୨ ଡିସେମ୍ବର ୨୨ରେ ଇ-ମେଲ ସମସ୍ତଙ୍କ ପାଖକୁ ଯାଇଛି। ହେଲେ ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ପରାମର୍ଶ କିମ୍ବା ପ୍ରତିକ୍ରିୟା ମିଳି ନଥିଲା। ତେଣୁ ନଜମ ଦେଇଥିବା ବୟାନ ଭିତ୍ତିହୀନ ଓ ଏହାକୁ ଏସିସି ଅଗ୍ରାହ୍ୟ କରୁଛି ବୋଲି କୁହାଯାଇଛି ।
ଜୟ ଶାହ ୨୦୨୩-୨୪ କ୍ରିକେଟ କ୍ୟାଲେଣ୍ଡର ଘୋଷଣା କରିଥିଲେ ମଧ୍ୟ ଏସିଆ କପ କେଉଁଠି ହେବ, ସେକଥା କହି ନଥିଲେ। ପୂର୍ବରୁ ୨୦୨୩ ଏସିଆ କପର ହୋଷ୍ଟିଂ ଦାୟିତ୍ୱ ପାକିସ୍ତାନକୁ ମିଳିଥିଲା। ହେଲେ ଭାରତ ସେଠାକୁ ଯିବନି ଓ ଏହା ଗୋଟିଏ ନିରପେକ୍ଷ ଭେନ୍ୟୁରେ କରାଯାଉ ବୋଲି ଜୟ ଶାହ ବହୁ ଦିନ ତଳେ କହିଥିଲେ। ଏହାକୁ ଆଧାର କରି ନଜମ ସେଠୀ ଟ୍ୱିଟ କରି ଜୟ ଶାହଙ୍କୁ ଟାର୍ଗେଟ କରିଥିଲେ।