ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ୫୦ ଲକ୍ଷ ଟଙ୍କା ଦାବି
ଭୁବନେଶ୍ୱର (ଆମ ଟିଭି): ଭୋଜପୁରୀ ସିନେମାର ପପୁଲାର୍ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ମିଳିଲା ଧମକ । ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏହା ବଦଳରେ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଅଭିଯୁକ୍ତ । ଏହି ଘଟଣାକୁ ନେଇ ପାଟନା ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ଅକ୍ଷରା ସିଂଙ୍କୁ ୫୦ ଲକ୍ଷ ଟଙ୍କା ମାଗିଛନ୍ତି । ଟଙ୍କା ନ ଦେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଏହି ଘଟଣା ଗତ ୨ ଦିନ ତଳର ଅର୍ଥାତ୍ ନଭେମ୍ବର ୧୧ର ବୋଲି କୁହାଯାଉଛି ।
ରାତି ୧୨ଟା ୨୦ ମିନିଟରେ ଏକ ଅଜଣା ନମ୍ବରରୁ ଅଭିନେତ୍ରୀଙ୍କ ପାଖକୁ କଲ୍ ଆସିଥିଲା । ଏଥିରେ ଅଭିଯୁକ୍ତମାନେ ଖୁବ୍ ଗାଳିଗୁଲଜ କରିବା ସହ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାପରେ ୧୨ଟା ୨୧ ମିନିଟରେ ଆଉ ଏକ କଲ୍ ଆସିଥିଲା, ଯେଉଁଥିରେ ୨ ଦିନ ମଧ୍ୟରେ ଟଙ୍କା ନ ଦେଲେ ଜୀବନରୁ ମାରିଦେବୁ ବୋଲି ଧମକ ଦିଆଯାଇଥିଲା । ଏହାପରେ ଅଭିନେତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିହାର ପାଟନାର ଦାନାଦାର ଥାନାରେ ଅଭିଯୋଗ ଦାଖଲ କରାଯାଇଛି । ପୋଲିସ ମୁତାବକ, ଯେଉଁ ନମ୍ବରରୁ କଲ୍ ଆସିଛି, ତାହାକୁ ଟ୍ରେସିଙ୍ଗ୍ କରାଯାଉଛି । ସେପଟେ ଏହି ଘଟଣା ପରେ ଅଭିନେତ୍ରୀ ନିଜର ସୁରକ୍ଷା ଦାବି କରିଛନ୍ତି ।