ଆମ ଦେଶରେ ଆଦାନୀ କୌଣସି ଆଇନ ଉଲ୍ଲଂଘନ କରିନି, ଜାଣନ୍ତୁ କିଏ କହିଲେ
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଉପରେ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଭାରତରେ ହଉଚଇ ସୃଷ୍ଟି ହୋଇଥିବାବେଳେ ମରିସସର ପୁଞ୍ଜିବଜାର ନିୟନ୍ତ୍ରକ ‘ଆର୍ଥିକ ସେବା କମିସନ’ ପକ୍ଷରୁ କୁହାଯାଇଛି ଯେ ଆଦାନୀ ଗ୍ରୁପ୍ ସହ ଜଡ଼ିତ ୩୮ଟି ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ୧୧ଟି ପାଣ୍ଠିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ।
କମିସନର ସିଇଓ ଧନେଶ୍ୱରନାଥ ବିକାଶ ଠାକୁର ଏକ ଭାରତୀୟ ଖବରକାଗଜକୁ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମରିସସରେ ଥିବା ଆଦାନୀ ଗ୍ରୁପ୍ ସହ ଜଡ଼ିତ ସମସ୍ତ ସଂସ୍ଥାରେ ମରିସସର କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ ।
ଠାକୁର କହିଛନ୍ତି ଯେ ଏହା ତାଙ୍କର ଆଭ୍ୟନ୍ତରୀଣ ରିପୋର୍ଟ ଯାହା ସେବିକୁ ପ୍ରଦାନ କରାଯାଇନାହିଁ। ସେ କହିଛନ୍ତି ଯେ ସେବି ବେଳେବେଳେ ସମୟ ସମୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମାଗିଥାଏ ଏବଂ ଆମେ ସେମାନଙ୍କୁ ରିପୋର୍ଟ ପ୍ରଦାନ କରିଥାଉ ।
ଆମେରିକୀୟ ସର୍ଟ ସେଲର ସଂସ୍ଥା ହିଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍ କଂପାନିଗୁଡ଼ିକର ବଜାର ମୂଲ୍ୟରେ ୧୦୦ ବିଲିୟନ ଡଲାର ହ୍ରାସ ପାଇଛି । ଗବେଷଣା ସଂସ୍ଥା ଅଭିଯୋଗ କରିଛି ଯେ ଆଦାନୀ ଗ୍ରୁପ୍ ବିଦେଶରେ ଅନେକ ସେଲ୍ କମ୍ପାନି ଗଠନ କରିଛି । ସେଥିମଧ୍ୟରୁ ମରିସସ୍ ମଧ୍ୟ ଏକ ଦେଶ । ଏହି କାରଣରୁ ମରିସସ ପୁଞ୍ଜି ବଜାର ନିୟାମକଙ୍କ ଏହି ମନ୍ତବ୍ୟ ବେଶ ଗୁରୁତ୍ବ ବହନ କରୁଛି ।