ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ: ଅସ୍ତ୍ରବିରତି ଶେଷ ଘୋଷଣା, ପାକିସ୍ତାନୀ ସେନା ଶିବିର ଉପରେ ଆତ୍ମଘାତୀ ଆକ୍ରମଣ
ଆଫ୍ଗାନିସ୍ତାନ ଉପରେ ପାକ୍ ବାୟୁସେନା ଆଜି ରାତିରେ ପୁଣି ଆକ୍ରମଣ କରିଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର କିଛି ଘଣ୍ଟା ପରେ ପାକ୍ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍ରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଛି। ପାକିସ୍ତାନର ବିମାନ ଆକ୍ରମଣ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅସ୍ତ୍ରବିରତି ଶେଷ ହୋଇଛି ଏବଂ ପାକିସ୍ତାନ ପ୍ରଥମେ ଏହାର ଉଲ୍ଲଂଘନ କରିଥିବାରୁ ଆମେ କଡ଼ା ଜବାବ ଦେବୁ। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ଅରଗୁନ୍ ଏବଂ ବର୍ମାଲ ଜିଲ୍ଲାର ଅନେକ ଘର ବୋମାମାଡ଼ରେ ଧ୍ବଂସ ହୋଇଥିବା ବେଳେ ମୃତାହତଙ୍କ ସଂପର୍କରେ ରିପୋର୍ଟ ମିଳିନାହିଁ। ପାକ୍ ଆକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ ତାଲିବାନ ପ୍ରଶାସନ କହିଛି। ଅନ୍ୟପକ୍ଷରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ବଢୁଥିବା ଭୟାନକ ଉତ୍ତେଜନାକୁ କମ୍ କରିବା ପାଇଁ କତରର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଆଜି ଅଧିକାରୀସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶୀର୍ଷ ସାମରିକ ଅଧିକାରୀ ଓ ସରକାରର ପ୍ରମୁଖ ପ୍ରତିନିଧିଙ୍କ ମଧ୍ୟରେ ମୁଖ୍ୟ ଆଲୋଚନା ହେବ। ପୂର୍ବରୁ ଉଭୟ ରାଷ୍ଟ୍ର ମଧ୍ୟରେ ୪୮ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ଏବଂ ତାହା ଆଜି ସନ୍ଧ୍ୟାରେ ଶେଷ ହେବା ପୂର୍ବରୁ ଅସ୍ତ୍ରବିରତି ମିଆଦ ବଢ଼ାଯାଇଥିଲା। ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି ଅସ୍ତ୍ରବିରତି ମିଆଦ ଜାରି ରହିବ ବୋଲି କୁହାଯାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ପାକିସ୍ତାନ ହଠାତ ବୋମାମାଡ଼ ଆରମ୍ଭ କରିଥିଲା।