‘ଜୟ ଯବାନ୍‌, ଜୟ କିଷାନ୍‌ ସ୍ଲୋଗାନ୍‌’, ‘ଜୟ ବିଜ୍ଞାନ’ ପରେ ଏବେ ଯୋଡ଼ିହେଲା ‘ଜୟ ଅନୁସନ୍ଧାନ’

0

ନୂଆଦିଲ୍ଲୀ(ଆମ ଟିଭି): ‘ଜୟ ଯବାନ୍‌, ଜୟ କିଷାନ୍‌ ସ୍ଲୋଗାନ୍‌’, ‘ଜୟ ବିଜ୍ଞାନ’ ପରେ ଏବେ ଯୋଡ଼ିହେଲା ‘ଜୟ ଅନୁସନ୍ଧାନ’। ଆଜି ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲାରେ ଜାତି ଉଦ୍ଦ୍ୟେଶ୍ୟରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ୍‌ କ୍ଷେତ୍ରରେ ଭାରତର ବିକାଶକୁ ପ୍ରଶଂସା କରିବା ଏପରି ସଂଯୋଗ କରିଛନ୍ତି। ସେ କହିଛନ୍ତି, ୫ଜି ପାଇଁ ପ୍ରତୀକ୍ଷାର ଅବସାନ ଘଟିଛି। ଏଥର ଭାରତର ପ୍ରତି ଗ୍ରାମରେ ‘ଡିଜିଟାଲ୍‌ ଇଣ୍ଡିଆ’ ପହଞ୍ଚିଯିବ। ଗାଁ ଗଣ୍ଡାରୁ ଆମର ଡିଜିଟାଲ୍‌ ଉଦ୍ୟୋଗୀମାନେ ବାହାରୁ ଥିବା ଜାଣି ଲୋକେ ବିସ୍ମିତ ହେଉଛନ୍ତି। ଏବେ ଦେଶରେ ‘ଡିଜିଟାଲ୍‌ ଇଣ୍ଡିଆ ଉପକ୍ରମ’ ଏବଂ ‘ଷ୍ଟାର୍ଟଅପ୍‌’ ବୃଦ୍ଧି ପାଉଛି ଏବଂ ‘ଟାୟର୍‌୨ ଓ ୩’ ନଗରୀମାନଙ୍କରୁ ଅନେକ ମେଧାବୀ ବାହାରୁଥିବା ଦେଖାଯାଉଛି।

ଆମେ ଆମର ଦକ୍ଷତା ଉପରେ ଭରସା ରଖିବା ଉଚିତ। ଡିଜିଟାଲ୍‌ ଟେକ୍ନୋଲୋଜି ବଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆମ ଦେଶରେ ଆମୂଳଚୂଳ ପରିବର୍ତ୍ତନ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ବ୍ୟତିରେକେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନଟି ହେଉଛି ନୂତନ ପ୍ରତିଜ୍ଞା ସହ ନୂତନ ‌କ୍ଷେତ୍ରକୁ ଯିବାର ଦିନ। ଭାରତକୁ ଶ୍ରଦ୍ଧା କରୁଥିବା ସମସ୍ତ ଭାରତୀୟଙ୍କୁ ମୁଁ ସ୍ବାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଉଛି। ଭାରତର ବିବିଧତା ଅନେକଙ୍କ ପାଇଁ ବୋଝ ମନେହେଉଥିଲା। କିନ୍ତୁ, ସେହି ବିବିଧତା ଭାରତକୁ ଦ୍ରୁତ ଗତିରେ ଅଗ୍ରସର ହେବା ପାଇଁ ସହାୟକ ହୋଇଛି।

ଆମ ଦେଶର ପ୍ରତ୍ୟେକ ଭାଷା ପ୍ରତି ଆମେ ଗୌରବାନ୍ବିତ ମନେକରିବା ଉଚିତ। ଆମେ ସେ ଭାଷା ଜାଣିଥାଉ କି, ନ ଜାଣିଥାଉ ସେଥିରେ କିଛି ଯାଏଆସେ ନାହିଁ। କିନ୍ତୁ, ସେସବୁ ଆମ ପୂର୍ବଜମାନଙ୍କର ଅବଦାନ ବିଚାରି ଆମେ ଗର୍ବ ଅନୁଭବ କରିବା ଉଚିତ। ଆମେ ସ୍ବାଧୀନତା ଲାଭ କରିବା ପରେ ଅନେକ ଆମର ବିକାଶ କୌଶଳ ଉପରେ ସନ୍ଦେହ କରୁଥିଲେ। କିନ୍ତୁ, ସେମାନେ ଜାଣି ନ ଥିଲେ ଏ ଦେଶବାସୀଙ୍କର କିଛି ଭିନ୍ନତା ଅଛି। ସେମାନେ ଜାଣି ନ ଥିଲେ ଯେ, ଏ ଦେଶର ମାଟି ଏକ ସ୍ବତନ୍ତ୍ର ପ୍ରକାରର ମାଟି।

Leave A Reply

Your email address will not be published.