ନୂଆଦିଲ୍ଲୀ: ବିଶ୍ୱ ଦେଖିଲା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ । ଗର୍ଭ ଗୃହରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସନ୍ଥ ସଭା ତଥା ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି,’ ଯୁଗ ଯୁଗର ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ଆମ ରାମଲଲ୍ଲା ଏଣିକି ଆଉ ଟେଣ୍ଟରେ ନୁହେଁ ଭବ୍ୟ ମନ୍ଦିରରେ ରହିବେ । ଅନେକ ତ୍ୟାଗ, ବଳିଦାନ ପରେ ଶ୍ରୀରାମ ଆସିଛନ୍ତି’ । ଏହି ଶୁଭ ମୁହୂର୍ତ୍ତରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।
ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାମ ମନ୍ଦିରର ଗର୍ଭ ଗୃହରେ ଈଶ୍ୱରୀୟ ଚେତନାର ମୁଁ ସାକ୍ଷୀ ବନିଛି । ମୋ ଶରୀର ଏବେବି ସେ ଦିବ୍ୟ ଚେତନାରେ ସ୍ପନ୍ଦିତ ହେଉଛି । ମୋର ମନ ପ୍ରାଣ ସେ ମହାର୍ଘ୍ୟ ମୁହୂର୍ତ୍ତରେ ଏବେବି ବୁଡି ରହିଛି । ଦେଶବାସୀଙ୍କୁ ମୁଁ ଅନେକ କିଛି କହିବାକୁ ଚାହୁଁଛି ହେଲେ ମୋ କଣ୍ଠ ରୁଦ୍ଧ ହୋଇଯାଉଛି’ ।