ଭୁବନେଶ୍ୱର (ଆମ ଟିଭି): ପ୍ରକାଶ ବେହେରା ବିଜେଡି ଛାଡ଼ିବା ପରେ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁ ପଡ଼ନ୍ତି।
ସମ୍ବିତ କହିଛନ୍ତି, ପ୍ରକାଶ କେବେ ବିଜେଡିରେ ନ ଥିଲେ। ସେ କଂଗ୍ରେସରୁ ଭାଜପା ପରେ ବିଜେଡିକୁ ଆସିଥିଲେ। ତାଙ୍କୁ ଦଳ କଟକ-ବାରବାଟୀରୁ ପ୍ରାର୍ଥୀ କରିଥିଲା। ସେତେବେଳେ ଆମର କିଛି ଭୁଲ୍ ଲୋକ, ଭୁଲ୍ ନିଷ୍ପତ୍ତି ନେଇଥିଲେ। ସେତେବେଳର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ୱ ସେଭଳି ନିଷ୍ପତ୍ତି ନେଇଥିବେ। କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ ଓ ଆମ ଆଖିକୁ ଠିକ ଲାଗୁନଥିଲା। ଏବେ ଆମଦାନୀ ନେତା ଧୀରେ ଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି ବୋଲି ସମ୍ବିତ କହିଛନ୍ତି। ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ସମ୍ବିତଙ୍କ କଥାର କଡ଼ା ଜବାବ ଦେଇଛନ୍ତି ପ୍ରକାଶ। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ। ସମ୍ବିତ ଏଭଳି ବାଚାଳାମୀ ନ କରି ତାଙ୍କ ହାଇକମାଣ୍ଡଙ୍କୁ ପଚାରନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରକାଶ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ବିଜେଡି ତାଙ୍କୁ କଟକ ବାରବାଟୀରୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍ରେ ସାଲେପୁରରୁ ଜିତିଥିଲେ।
ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲେପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।