ଭୁବନେଶ୍ୱର (ଆମ ଟିଭି): ପୁଣି ଓଡ଼ିଶାକୁ ଫେରିଛି ସିବିଆଇ । ପୁରୁଣା ଚିଟଫଣ୍ଡ ମାମଲାରେ ସିବିଆଇ ପୂର୍ବତନ ବିଧାୟକ ପ୍ରଭାବ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ୍ କରିବା ପରେ ସେ ଏବେ ମୁହଁ ଖୋଲିଛନ୍ତି । କହିଛନ୍ତି, ଚାର୍ଜଫ୍ରେମରେ ଠକେଇ ଓ ଷଡଯନ୍ତ୍ର ଭଳି ଦଫା ଲାଗିଛି । ହେଲେ ଏସବୁରେ କୌଣସି ସତ୍ୟତା ନାହିଁ । ସିବିଆଇ ଅଭିଯୋଗର କେତେ ସତ୍ୟତା ରହିଛି, ତାହା କୋର୍ଟ ବିଚାର କରିବେ ।
ଦୁଇ ମାସ ମଧ୍ୟରେ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଦୁଇ ମାସ ପରେ ଏବେ ସିବିଆଇ ଚାର୍ଜଫ୍ରେମ୍ କରୁଛି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ । ଏହା ସହ ସେ କହିଛନ୍ତି, ସିବିଆଇର ଏପରି ଚାର୍ଜଫ୍ରେମ୍ ନେଇ ତାଙ୍କ ରାଜନୈତିକ କ୍ୟାରିୟରରେ କୌଣସି ପ୍ରଭାବ ପଡିବ ନାହିଁ । ମାମଲାର ଶୁଣାଣି ଶେଷ ନହେବା ଯାଏଁ ସେ ଭୋଟ୍ ରାଜନୀତିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି । ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗତକାଲି ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି ।
ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜଫ୍ରେମ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କରିଛି ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ୍ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି ।