ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ ପରେ ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିବେ କିଙ୍ଗ ଚାର୍ଲସ
ଲଣ୍ଡନ (ଆମ ଟିଭି): ଆଉ ନାହାନ୍ତି ଲଣ୍ଡନର ମହାରାଣୀ ଏଲିଜାବେଥ ଦ୍ୱିତୀୟ । ତାଙ୍କ ବିୟୋଗରେ ସମଗ୍ର ଇଣ୍ଡନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରେ ତାଙ୍କ ବଡ଼ ପୁଅ ତାଙ୍କ ଦାୟିତ୍ୱ ସମ୍ଭାଳିଛନ୍ତି । ଆଜି କିଙ୍ଗ୍ସ ଚାର୍ଲସ୍ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ରାଜା ହୋଇଛନ୍ତି । ବିଧିବଦ୍ଧ ଭାବେ ଆସନ୍ତାକାଲି ଆସେସନ୍ କାଉନ୍ସିଲ୍ ଦ୍ୱାରା ଚାର୍ଲସଙ୍କୁ ରାଜା ଭାବେ ଅଭିଷିକ୍ତ କରାଯିବ ବୋଲି ଜଣାପଡ଼ିଛି । ସେ ବାଲମୋରରୁ ଆଜି ହିଁ ଲଣ୍ଡନ ଫେରିବେ ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ ।
ମହାରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ ମଧ୍ୟ ଆଜି ବାଲମୋରରୁ ପ୍ରଥମେ ଏଡିନବର୍ଗ ନିଆଯିବ। ସେଠାରୁ ଅଣାଯିବ ଲଣ୍ଡନ । ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍ ପାର୍କରେ ତୋପ ସଲାମି ଦିଆଯିବ। ସେହିପରି ଓ୍ୱେଷ୍ଟାମିନଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍ ବଜାଯିବ। ୟୁନିୟନ ଫ୍ଲାଗ୍ ଅଧନମିତ ରହିବ । ଏଡିନବର୍ଗରୁ ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ ।
ଏଠାରେ ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ୟ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ।
୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ । ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ୟ୍ୟକୁ ବାତିଲ କରାଯାଇଛି ।