ଲୋକସଭା ପରେ ଆଜି ରାଜ୍ୟସଭାରେ ପାରିତ ହେବ ମହିଳା ସଂରକ୍ଷଣ ବିଲ୍

0

ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ଆଉ ଏକ ଐତିହାସିକ ଦିନ। କାରଣ ଆଜି ରାଜ୍ୟ ସଭାରେ ଆଗତ ହେବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍। ଗତକାଲି ଲୋକସଭାରେ ବିଲକୁ ସମର୍ଥନ ମିଳିବା ପରେ ଆଜି ରାଜ୍ୟ ସଭାରେ ବିଲକୁ ଉପସ୍ଥାପିତ କରାଯିବ। ଯାହା ଉପରେ ରହିଛି ପୂରା ଦେଶର ନଜର। ବିଲ୍ ରାଜ୍ୟ ସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଯିବ।

ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ମହିଳା କୋଟା ବିଲ୍ ଉପରେ ବିବୃତ୍ତି ରଖିବାର କାର୍ଯ୍ୟକ୍ରମ ରହିଛି। ୧୪ ଜଣ ମହିଳା ସାଂସଦ ଓ ମନ୍ତ୍ରୀ ବିଜେପି ପକ୍ଷରୁ ଏହି ବିଲ୍ ଉପରେ ବିତର୍କ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରୁ ଓବିସି ସମ୍ପ୍ରଦାୟର ତିନିଜଣ ମହିଳା ସାଂସଦ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଦୁଇଜଣ ମହିଳା ବିଲ୍ ସପକ୍ଷରେ ତର୍କ କରିବେ ।

ଗତକାଲି ୧୧ ଘଣ୍ଟା ଧରି ବିଲ୍ ଉପରେ ବିତର୍କ ହେବା ପରେ ଲୋକ ସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ। ବିଲ୍ ସପକ୍ଷରେ ୪୫୪ ଖଣ୍ଡ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ୨ ଖଣ୍ଡ ଭୋଟ୍ ପଡିଥିଲା। ଆଜି ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଯିବ।

ସମ୍ବିଧାନର ଏହି ସଂଶୋଧନ ଐତିହାସିକ ହୋଇ ରହିବ। କାରଣ ଏହି ବିଲ୍ ଆଇନରେ ପରିଣତ ହେଲେ ମହିଳା ସଶକ୍ତିକରଣ ପ୍ରକ୍ରିୟା ଆହୁରି ଅଗାକୁ ବଢ଼ିବା ସହ ଲାଜନୈତିକ କ୍ଷେତ୍ରରେ ମହିଳାଙ୍କ ଅଧିକ ଭାଗିଦାରୀ ରହିବ। ଏହି ନିୟମ ଅନୁସାରେ ଆଗକୁ ଲୋକ ସଭା ଏବଂ ବିଧାନ ସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ରହିବ। କିନ୍ତୁ ୨୦୨୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ୨୦୨୭ରେ ଜନଗଣନା ପରେ ନାରୀ ଶକ୍ତି ବନ୍ଦନ ଆଇନ କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.