ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେବିରୋଧୀ ଦଳ ନେତା ଆସନରେ ବସିଲେ ଜୟ ନାରାୟଣ ମିଶ୍ର

0

ଭୁବନେଶ୍ୱର(ଆମ ଟିଭି): ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେବିରୋଧୀ ଦଳ ନେତା ଆସନରେ ବସିଲେ ଜୟ ନାରାୟଣ ମିଶ୍ର।  ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି । ଗତକାଲି ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଥିଲା। ଏ ନେଇ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାର ଘୋଷଣା କରିଥିଲେ ରାଜ୍ୟ ବିଜେପି ସହ ପ୍ରଭାରୀ ।  ଜୟ ନାରାୟଣ ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି। ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି।

ବିରୋଧୀ ଦଳ ନେତା ଘୋଷଣା ପରେ ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ, ଦଳ ମୋ ଉପରେ ଭରସା ରଖି ଯେଉଁ ଗୁରୁଦାୟିତ୍ଵ ଦେଇଛି ତାକୁ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ସେ କହିଛନ୍ତି।  ୨୦୧୯  ବିଧାନସଭା ନିର୍ବାଚନ ପରେ ଦଳ ପ୍ରଦୀପ୍ତ ନାଏକଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା। ହେଲେ ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି। ଏମିତିରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାନସଭାରେ ବିରୋଧୀ ଦଳ ନେତା ଅନୁପସ୍ଥିତି ବାରି ହୋଇ ପଡୁଥିଲା। ଏହି କ୍ରମରେ ଦଳ ସମ୍ବଲପୁରର ଚାରି ଥରର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି।

ଜୟ ନାରାୟଣ ମିଶ୍ର ୨୦୦୦ ବିଧାନସଭା ନିର୍ବାଚନରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୪ ଏବଂ ୨୦୦୯ରେ ସମ୍ବଲପୁରରୁ  କ୍ରମାଗତ ଦ୍ଵିତୀୟ ଏବଂ ତୃତୀୟ ଥର ବିଧାୟକ ଭାବେ ବିଜୟ ହାସଲ କରିଥିଲେ। ୨୦୧୪ରେ ସେ ବିଜେଡି ପ୍ରାର୍ଥୀ ରାସେଶ୍ଵରୀ ପାଣିଗ୍ରାହୀଙ୍କଠୁ ପରାଜିତ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ରାସେଶ୍ଵରୀଙ୍କୁ ହରାଇ ପୁଣି ଥରେ ସମ୍ଵଲପୁର ଗଡ ଦଖଲ କରିଥିଲେ।

Leave A Reply

Your email address will not be published.