ଭାରତରୁ ଗାଜାକୁ ଗଲା ସହାୟତା
ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଏବେ ଗାଜାକୁ ସହାୟତାର ହାତ ବଢ଼ାଇଛି ଭାରତ। ଗାଜାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପଠାଯାଇଛି ମାନବୀୟ ସହାୟତା।
ହାମାସ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟ ହେତୁ ଗାଜାର ଲୋକମାନେ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ସହାୟତା କରିବା ପାଇଁ ଏବେ ଭାରତ ଆଗେଇ ଆସିଛି। ଗାଜାକୁ ମାନବୀୟ ସହାୟତା ପଠାଯାଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଗାଜାକୁ ପଠାଯାଇଥିବା ଏହି ସହାୟତା ଜିନିଷ ମଧ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟର୍ପାଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ ରହିଛି। ପାଲେଷ୍ଟାଇନବାସୀଙ୍କ ପାଇଁ ପ୍ରାୟ ୬.୫ ଟନ୍ ଚିକିତ୍ସା ସହାୟତା ଏବଂ ୩୨ଟନ୍ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇ IAF C-17 ବିମାନ ଇଜିପ୍ଟର ଏଲ୍-ଆରିଶ ବିମାନ ବନ୍ଦରକୁ ଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।