ବିଜେପିରେ ୪୦ ବିଧାୟକଙ୍କ ସହ ଯୋଗଦେବେ ଅଜିତ ପାୱାର?
ନୂଆଦିଲ୍ଲୀ :ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ ଭାବେ ଗଠନ କରିଥିବା ସରକାର ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।
ତେବେ ଏସବୁ ଭିତରେ ଏନସିପି ନେତା ଅଜିତ ପାୱାର ବିଜେପିକୁ ଆଡ଼କୁ ଢଳୁଥିବା କୁହାଯାଉଛି। ସେ ଏନସିପିର ୪୦ ଜଣ ବିଧାୟକଙ୍କୁ ଧରି ସିନ୍ଦେ ସରକାରଙ୍କୁ ସମର୍ଥନ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ରାଜନୀତିକ ହଟଚମଟକୁ ଦେଖି ବିଧାନସଭାର ବାଚସ୍ପତି ମଧ୍ୟ ନିଜର ଜାପାନ ଗସ୍ତ ଅଧାରୁ ବନ୍ଦ କରି ମୁମ୍ବାଇ ଫେରି ଆସିଛନ୍ତି।
ଏସବୁ ଭିତରେ ଅଜିତ ପାୱାର ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ ବିଜେପି ଆଡ଼କୁ କୌଣସି ପ୍ରକାରର ଢଳି ନାହାନ୍ତି ଓ ପ୍ରକାଶ ପାଇଥିବା ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି, “ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ମୁଁ ଏନସିପିରେ ଅଛି ଓ ଏନସିପିରେ ରହିବି। ମିଡିଆ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ କୌଣସି ପ୍ରକାରର ବିବଦା ନାହିଁ। ମୁଁ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ। ବିଧାୟକମାନେ ମୋତେ ଆଜି ଦେଖା କରିବାକୁ ଆସିଥିଲେ। ଏହା ଏକ ନିୟମିତ ପ୍ରକ୍ରିୟା। ଏହା କେହି ଅଲଗା ଅର୍ଥରେ ବୁଝିବା ଉଚିତ ନୁହେଁ।”