ଉତ୍ତରପ୍ରଦେଶ ପୋଲିସ ନାଁରେ ଏମିତି ଅଭିଯୋଗ ଆଣିଲେ ଅଖିଳେଶ
ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ମୈନ୍ପୁରୀ ସଂସଦୀୟ ଆସନରେ ଉପନିର୍ବାଚନ ଆରମ୍ଭ ହେବା ପରେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ପୁଲିସ ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ଛାଡୁନାହିଁ।ମୈନ୍ପୁରୀ ଆସନରୁ ‘ବିଜେପି’ର ରଘୁରାଜ ସିଂହ ଶାକ୍ୟଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍ ଯାଦବ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଚାଲିଥିବା ବୁଥ୍ ଜବରଦଖଲ ଅଭିଯୋଗ ଦାଏର କରିବା ଲାଗି ଫୋନ୍ କଲେ ସରକାରୀ ଅଧିକାରୀମାନେ ଫୋନ୍ ରିସିଭ୍ କରୁ ନାହାନ୍ତି।
ଅଖିଳେଶ କହିଛନ୍ତି, ଭୋଟ୍ ଆରମ୍ଭ ହେବା ଦିନରୁ ପ୍ରଶାସନ କାହା ଆଦେଶରେ ଚାଲିଛି ତାହା ମୁଁ ଜାଣିନାହିଁ। ମତେ ଯାହା ସୂଚନା ମିଳୁଛି, ସେଥିରୁ ଜାଣୁଛି ଯେ, ସକାଳୁ କ୍ରମାଗତ ଅଭିଯୋଗ ଆସୁଛି। ଭୋଟ୍ ଦେବା ପାଇଁ ପୁଲିସ ଜନସାରଣଙ୍କୁ ଛାଡୁ ନାହିଁ।
ଡିମ୍ପଲ୍ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି: ମୈନ୍ପୁରୀ ନିର୍ବାଚନରେ ବୁଥ୍ଜବର ଦଖଲ ଅଭିଯୋଗ କରୁଥିବା ସାମାଜବାଦୀ କାର୍ଯ୍ୟକର୍ତ୍ତାଙ୍କ ଫୋନ୍କୁ ଜିଲ୍ଲାପାଳ ରିସିଭ୍ କରୁନାହାନ୍ତି।ସୂଚନାଯୋଗ୍ୟ, ‘ସମାଜବାଦୀ ପାର୍ଟି’ର ସଂସ୍ଥାପ ମୁଲାୟମ୍ ସିଂହ ଯାଦବଙ୍କ ମୃତ୍ୟୁ ଯୋଗୁଁ ଖାଲିପଡ଼ିଥିବା ମୈନ୍ପୁରୀ ଲୋକସଭା ଆସନ ନିମନ୍ତେ ଆଜି ଭୋଟ୍ ଗ୍ରହଣ କରାଯାଉଛି।
‘ବିଜେପି’ ପ୍ରରୋଚନାରେ ପଡ଼ି ମୈନ୍ପୁରୀ ନିର୍ବାଚନ ମଣ୍ଡଳୀର ଭୋଗାଓଁରେ ପୁଲିସ କେତେକ ବୁଥ୍ରେ ଏଜେଣ୍ଟ୍ମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ‘ସପା’ ଅଭିଯୋଗ କରିଛି। କର୍ହଲ୍ ବୁଥ୍ରେ ପରିଚୟପତ୍ର ଯାଞ୍ଚ କରିବା ବାହାନାରେ କେନ୍ଦ୍ରୀୟ ନିରାପତ୍ତା ବଳ ମତଦାନ ହାର ହ୍ରାସ କରିବା ଲାଗି ଜନସାଧାରଣଙ୍କୁ ହଇରାଣ କରୁଛି ବୋଲି ମଧ୍ୟ ‘ସପା’ କହିଛି।