ଚଳଚ୍ଚିତ୍ର ତଥା ଟେଲିଭିଜନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ଦୁବାଇ ( ୟୁଏଇ ) ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ

0

ଭୁବନେଶ୍ୱର ( ୨୭ /୦୧ ) : ବିଶିଷ୍ଟ ପ୍ରଯୋଜକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜାଙ୍କୁ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେଲିବ୍ରେଟି ଆର୍ଟିଷ୍ଟ କ୍ୟାଟେଗୋରୀରେ ଦୁବାଇ ( ୟୁଏଇ ) ସରକାରଙ୍କ ଦ୍ଵାରା ଗୋଲ୍ଡେନ ଭିସା ପ୍ରଦାନ କରାଯାଇଛି। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଏବଂ ମାଲାୟଲମ ଭାଷାରେ ୩୩ ଟି ଚଳଚ୍ଚିତ୍ରର ସେ ଜଣେ ସଫଳ ପ୍ରଯୋଜକ । ଓଡ଼ିଶାର ନିଜର ସବୁଠାରୁ ବଡ଼ ଘରୋଇ ଷ୍ଟୁଡିଓରେ ଏକ ଦଶନ୍ଧି ଧରି ୭୦୦୦ ରୁ ଅଧିକ ଟେଲିଭିଜନ ଏପିସୋଡ୍ କରିବା ସହ ୩୫୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଶ୍ରୀଯୁକ୍ତ ପରିଜାଙ୍କୁ ଶାହରୁଖ ଖାନ୍, ମୋହନଲାଲ, ମାମୁଟି , ସୁନୀଲ ସେଟ୍ଟି, ସୋନୁ ନିଗମ ପରି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ସମକକ୍ଷ ଏହି ଭିସା ପ୍ରଦାନ କରାଯାଇଥିବାରୁ ଏହା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ସମ୍ମାନ ତଥା ଗୌରବର ବିଷୟ ।

“ଦୁବାଇରେ ଏକ ବିଶ୍ୱସ୍ତରୀୟ କଳାକାର ସମ୍ପ୍ରଦାୟ ସୃଷ୍ଟି କରିବା ପାଇଁ ମୁଁ ଦୁବାଇ ସରକାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଦୁବାଇର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମଙ୍କ ପ୍ରଗତିଶୀଳ ନୀତିକୁ ଅଶେଷ ଧନ୍ୟବାଦ ଜଣାଉଛି। ସେମାନଙ୍କ ମଧ୍ୟରୁ ଜଣେ ଭାବରେ ମୁଁ ଅଭିହିତ ହୋଇଥିବାରୁ ମୁଁ ଖୁସି ଏବଂ ଗର୍ବିତ ବୋଲି ଶ୍ରୀଯୁକ୍ତ ପରିଜା ଫୋନ୍ ଯୋଗେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ତେବେ ସେ ଓଡ଼ିଶାରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧି ପାଇଁ ତାଙ୍କର ଅବଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ମତ ପ୍ରକଶ କରିଛନ୍ତି । ଏହା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ କୁ ଧନ୍ୟବାଦ ଦେଇ ଶ୍ରୀ ପରିଜା କହିଛନ୍ତି ଯେ ଖୁବ ଶୀଘ୍ର ଭୁବନେଶ୍ୱର ଏବଂ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ହେବ। ଦୁବାଇ ଏବଂ ଓଡ଼ିଶା ମଧ୍ୟରେ ମୋର ସମୟ ସମାନ ଭାବରେ ବାଣ୍ଟିବାକୁ ମୁଁ ପ୍ରସ୍ତାବ ଦେଇଛି ବୋଲି ସେ କହିଛନ୍ତି।

ଦୁଇଟି ଜାତୀୟ ପୁରସ୍କାର, ୪୩ ଟି ରାଜ୍ୟ ପୁରସ୍କାର ଏବଂ ୧୬ ଟି ଆନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ଶ୍ରୀ ପରିଜା ଓଡ଼ିଶା ସିନେ ଏବଂ ଟେଲିଭିଜନ ଜଗତ ସହିତ ଏକ ଭାବପ୍ରବଣତାର ସମ୍ପର୍କ ରଖିଆସିଛନ୍ତି ଏବଂ କଳାକାର ସମାଜ ପାଇଁ ଭଲ ବିଷୟବସ୍ତୁ ଏବଂ ନିଯୁକ୍ତି ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଆଗାମୀ ଦିନରେ ଓଡ଼ିଶା ଏକ ଆନ୍ତର୍ଜାତୀୟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍ଥାନ ହେବ ବୋଲି ଶ୍ରୀ ପରିଜା ମତବ୍ୟକ୍ତ କରିଛନ୍ତି

Leave A Reply

Your email address will not be published.