ନିଜେ ଗଲେ ନାହିଁ ଓକିଲ ପଠାଇଲେ ଅକ୍ଷୟ ପରିଜା

0

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୧୨ଟାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଥିଲା। ହେଲେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତକାଲି ଅର୍ଚ୍ଚନା ନାଗ ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟ ଓ ତାରିଖ ଭିତରେ ହାଜର ହେବାକୁ କୁହାଯାଇଥିଲା । ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ସେ ନୂଆପଲ୍ଲୀ ଥାନାରେ କରିଥିବା ଏତଲା ଅଧାରରେ ଇଡି ପରିଜାଙ୍କୁ ସମନ କରିଥିଲା। ଅକ୍ଷୟ ହାଜର ହେବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥାନ୍ତା।ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି।

ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍।ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲା।ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା।ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା। ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା। ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ଭେଟ ହୋଇଥିଲା।ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା।

Leave A Reply

Your email address will not be published.