ପୁଅକୁ ଶେଷ ଥର ଦେଖିବାକୁ ଅତିକ ଅହମ୍ମଦକୁ ମିଳିଲାନି ଅନୁମତି

0

ନୂଆଦିଲ୍ଲୀ :ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଗତକାଲି ପୁଲିସ୍‌ ଏନକାଉଣ୍ଟର ନିହତ ହୋଇଥିବା ଜଣାଯାଇଛି । ଅସଦ ଅହମଦଙ୍କ ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଉଭୟଙ୍କର ଗତକାଲି ବିଳମ୍ବିତ ରାତିରେ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ଉଭୟଙ୍କୁ ସମାଧି ଦିଆଯିବ । ତେବେ ପୁଅର ଶେଷ ଶୋଭାଯାତ୍ରାରେ ସାମିଲ ହେବା ନିମନ୍ତେ ଅତିକ ଅହମ୍ମଦଙ୍କୁ ଅନୁମତି ମିଳିନି ।

ଗତକାଲି ଅତିକ ମହମ୍ମଦ ଓ ତାଙ୍କ ଭାଇ ଅସରଫଙ୍କୁ ପ୍ରୟାଗରାଜର ଏକ କୋର୍ଟରେ ହାଜର କରାଯାଇଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। କୋର୍ଟରେ ଥିବା ସମୟରେ ହିଁ ଅତିକ ମହମ୍ମଦ ପୁଅର ଏନକାଉଣ୍ଟର ଖବର ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏପରିକି ବାହୁବଲୀ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ପୁଅର ଶେଷକୃତ୍ୟ ବେଳେ ଉପସ୍ଥିତି ରହିବାକୁ ଅତିକ ମହମ୍ମଦ ପ୍ରୟାଗରାଜର ଏକ କୋର୍ଟରେ ଅନୁମତି ମାଗିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏଥିନିମନ୍ତେ ତାଙ୍କୁ ଅନୁମତି ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଫଳରେ ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ।

ଡାକ୍ତରଙ୍କ ଏକ ପ୍ୟାନେଲ୍ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଏହାର ଭିଡିଓଗ୍ରାଫି କରାଯାଇଛି। ଉକ୍ତ ସମୟରେ ମେଡିକାଲ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ବେଳେ ସମଗ୍ର ଅଞ୍ଚଳର ୨୦ ମିଟର କ୍ଷେତ୍ରର କାର୍ଯ୍ୟକଳାପକୁ କ୍ୟାମେରାରେ କଏଦ କରାଯାଇଥିଲା। ଅସଦଙ୍କ ବେକ ଏବଂ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛି।

ଅସଦଙ୍କ ପରିବାର ପକ୍ଷରୁ ତାଙ୍କ ଅଜା ଓ ମଉସା ପ୍ରଶାସନଠୁ ଆଜି ଗ୍ରହଣ କରି ପ୍ରୟାଗରାଜ ଶ୍ମଶାନରେ ସମାଧି ଦେବେ ବୋଲି ଜଣାଯାଇଛି । ତେବେ ମହମ୍ମଦ ଗୁଲାମଙ୍କ ମୃତଦେହକୁ ଗ୍ରହଣ କରିବାକୁ ତାଙ୍କ ପରିବାର ଲୋକେ ମନା କରି ଦେଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହକୁ ସମାଧି ଦିଆଯିବ ।

Leave A Reply

Your email address will not be published.