ଭୁବନେଶ୍ୱର (ଆମ ଟିଭି): ବେଆଇନ ମଦ କାରବାରକୁ ମୂଳପୋଛ କରିବାକୁ ଯୋରସୋରରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଗଲା ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଆଇନ ମଦ ଭାଟିରେ ଚଢାଉ ଅଭିଯାନ ବର୍ତ୍ତମାନ ସୁଦ୍ଧା ଚାଲିଛି । ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ୍ବ ଭାଟିକୁ ବୁଲଡୋଜର ଯୋଗେ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରାଯାଇଛି । ସେଥିମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବରରେ ୫୧ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି ।
ଏହି ସମ୍ପର୍କରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ‘ପୂର୍ବରୁ ଚାଲି ଆସିଥିବା ଏହି ସମସ୍ତ ବେଆଇନ କାରବାର ଉପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ । ଆଗକୁ ଏହି ଭଳି ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ସମସ୍ତ ବେଆଇନ କାରବାର ଉପରେ ରୋକ ଲଗାଯିବ’।