ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି। ଆସନ୍ତାକାଲି, ଅର୍ଥାତ୍ ଏପ୍ରିଲ ୨୩, ୨୦୨୫ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ପରବର୍ତୀ ନିର୍ଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବୁଧବାର ପଶ୍ଚିମ ଓଡିଶା ସାଙ୍ଗକୁ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେବା ସହିତ ଆଗାମୀ ତିନିଦିନ ଯାଏ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ଶିକ୍ଷାନୁଷ୍ଠାନକୁ ଏହି ନିର୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।