ଆତ୍ମସମର୍ପଣ କଲା ଅମୃତପାଲ ସିଂହ

0

ନୂଆଦିଲ୍ଲୀ :ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଶେଷରେ ଆତ୍ମସମର୍ପଣ କରିଛି। ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି ପଞ୍ଜାବ ପୁଲିସ।

ଗିରଫ ଅମ୍ରିତପାଲ ସିଂହକୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ। ପୂର୍ବରୁ ଗିରଫ ତା’ର ୮ ଜଣ ସହଯୋଗୀ ମଧ୍ୟ ସେହି ଜେଲରେ ଅଛନ୍ତି। ଏ ସମସ୍ତଙ୍କୁ ଜାତୀୟ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଅମ୍ରିତପାଲ ସିଂହ ମୋଗା ଜିଲ୍ଲାର ରୋଡେ ଗାଁରେ ଥିବା ଗୁରୁଦ୍ୱାରାରେ ପହଞ୍ଚିଥିଲା। ବିଳମ୍ବିତ ରାତିରେ ସେ ସେଠାରେ ଥିବା ନେଇ ମୋଗା ପୁଲିସ୍‌କୁ ନିଜେ ଖବର ଦେଇଥିଲା ଓ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଥିଲା। ତା’ପରେ ମୋଗା ପୁଲିସ୍ ଗୁରୁଦ୍ୱାରାରେ ପହଞ୍ଚିବା ପରେ ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିଥିଲା। ଆଜି ସକାଳେ ଆତ୍ମସମର୍ପଣ କରିବା ପୂର୍ବରୁ ଗୁରୁଦ୍ୱାରରେ ସେ କିଛି ଲୋକଙ୍କୁ ସମ୍ବୋଧିତ ମଧ୍ୟ କରିଥିବାର ଭିଡିଓ ସାମ୍ନାକୁ ଆସିଛି। ରୋଡେ ହେଉଛି ଆତଙ୍କବାଦୀ ଜରନୈଲ ସିଂହ ଭିଣ୍ଡରାନୱାଲେର ଜନ୍ମମାଟି, ଯିଏ ଅପରେସନ ବ୍ଲ୍ୟୁ ଷ୍ଟାରରେ ନିହତ ହୋଇଥିଲା।

ଅମ୍ରିତପାଲ ସିଂହ ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ଜରନୈଲ ସିଂହ ଭିଣ୍ଡରାନୱାଲେର ଅନୁଗାମୀ ବୋଲି କହୁଛି। ଏମିତିକି ସେ ତା’ ସମର୍ଥକଙ୍କ ଗହଣରରେ ‘ଭିଣ୍ଡରାନୱାଲେ ୨.୦’ ଭାବେ ପରିଚିତ। ଦେଶରେ ଶାନ୍ତି ଭଙ୍ଗ କରିବା, ଖଲିସ୍ତାନୀ ଗତିବିଧିକୁ ବଢ଼ାଇବା, ହତ୍ୟା ଉଦ୍ୟମ ଓ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଅନେକ ଅପରାଧିକ ମାମଲା ରହିଛି ଅମ୍ରିତପାଲ ସିଂହ ଓ ତା’ ସହଯୋଗୀଙ୍କ ନାଁରେ।

Leave A Reply

Your email address will not be published.