ପୋଲିସ ଆଗରେ ଆତ୍ମସମର୍ପଣ କଲେ ଆମ୍ରିତପାଲଙ୍କ ଦାଦା ଓ ଡ୍ରାଇଭର

0

ନୂଆଦିଲ୍ଲୀ :ଏବେବି ପୁଲିସ ହାତ ଖାଲି। ଧରାପଡୁନି ଖଲିସ୍ତାନୀ ସମର୍ଥକ ଆମ୍ରିତପାଲ ସିଂହ। ତାଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ହେଲାଣି ନାକେଦମ୍। ଚାରିଆଡେ ହାଇଆଲର୍ଟ ଜାରି ରହିଛି। ଘନ ଘନ ଚେକିଂ ଓ ଚଢ଼ାଉ ବି ଜାରି ରଖିଛି ପୁଲିସ ତଥାପି ୱାରିସ ପଞ୍ଜାବ ଦେ’ ମୁଖ୍ୟ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ହୋଇଛି ସଫଳ। ଏହାରି ଭିତରେ ଅମ୍ରିତ ପାଲ ସିଂହର ଡ୍ରାଇଭର ଓ ଦାଦା ଆସି ଆଜି ପୁଲିସରେ ଆତ୍ମସମର୍ପଣ କରିଛନ୍ତି।

ସୂଚନା ମୁତାବକ, ସୋମବାର ଅମ୍ରିତପାଲର ଦାଦା ହରଜିତ ସିଂହ ଓ ଡ୍ରାଇଭର ହରପ୍ରିତ ମେହତପୁର ଥାନା ଆସି ସରେଣ୍ଡର କରିଥିବା ଜଣାପଡିଛି। ଉଭୟଙ୍କ ପାଖରୁ ପୁଲିସ ଏକ ମର୍ସିଡିଜ କାର୍ ମଧ୍ୟ ଜବତ କରିଛି। ଏହି ଗାଡିରେ ହିଁ ଅମ୍ରିତପାଲ ଓ ତା’ ଦାଦା ଓ ଡ୍ରାଇଭର ଫେରାର ହୋଇଥିଲା।

ଦାଦା ହରିଜିତ ସିଂହ ହେଉଛନ୍ତି ଅମ୍ରିତପାଲଙ୍କ ପରାମର୍ଶଦାତା। ତାଙ୍କ କହିବା ମୁତାବକ, ଯେତେବେଳେ ପଞ୍ଜାବ ପୁଲିସ ତାଙ୍କ ପିଛା କରିଥିଲା ସେତେବେଳେ ସେ ଆଉ ଅମ୍ରିତପାଲ ଭିନ୍ନ ହୋଇଯାଇଥିଲେ। ପୁଲିସ ଠାରୁ ବର୍ତ୍ତିବା ପାଇଁ ସେ ଗୋଟିଏ ରାସ୍ତାରେ ଯାଇଥିଲେ ଓ ଅମ୍ରିତପାଲ ଗାଡିରୁ ଓହ୍ଲାଇ ଆଉ ଏକ ରାସ୍ତାରେ ଯାଇଥିଲା।

ପୁଲିସ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅମ୍ରିତପାଲ ସିଂହର ୧୧୨ ଜଣ ସମର୍ଥକଙ୍କୁ ଗିରଫ ସାରିଲାଣି। ଅମ୍ରିତପାଲକୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି। ସୁରକ୍ଷାକର୍ମୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ପ୍ରଶାସନ ପକ୍ଷରୁ ମୋବାଇଲ ଇଣ୍ଟରନେଟ୍ ଓ ଏସ୍‌ଏମ୍‌ଏସ୍ ସେବା ଆଜି ଅପରାହ୍ଣ ୧୨ ଯାଏଁ ବନ୍ଦ କରାଯାଇଛି।

ସେପଟେ ଶନିବାର ଦିନ ଧରା ପଡିଥିବା ଅମ୍ରିତପାଲ ସିଂହର ପରାମର୍ଶଦାତା ତଥା ତାକୁ ପାଣ୍ଠି ଯୋଗାଉଥିବା ଦଲଜିତ ସିଂହ କଲସୀ ଓ ଅନ୍ୟ ତିନି ସହଯୋଗୀଙ୍କୁ ପଞ୍ଜାବର ବିଶେଷ ବିମାନ ଯୋଗେ ଆସାମକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଦିବ୍ରୁଗଡର ସେଣ୍ଟ୍ରାଲ ଜେଲକୁ ନିଆଯାଇଛି।

Leave A Reply

Your email address will not be published.