ଭୁବନେଶ୍ୱର (ଆମ ଟିଭି): ଏକ କ୍ଷୁଧା ଓ ବ୍ୟାଧି ମୁକ୍ତ, ଯୁଦ୍ଧ ବିଭୀଷିକା ମୁକ୍ତ, ହିଂସା ଓ ଆତଙ୍କ ମୁକ୍ତ ତଥା ଶାନ୍ତି, ସହାବସ୍ଥାନ ଓ ବସୁଧୈବ କୁଟୁମ୍ବକମ୍ ବିଚାର ବୋଧ ଥିବା ବିକଳ୍ପ ବିଶ୍ବ ର ନିର୍ମାଣ ନିମନ୍ତେ ଭିନ୍ନ ଏକ ଗଣ ସଂଗଠନ “ବିକଳ୍ପ ସମାଜ” ତାର କାର୍ଯ୍ୟର ଶୁଭାରମ୍ଭ କଲା ବୋଲି ସଭାପତି ଅଭୟ ଦାସ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି।
ବିକଳ୍ପ ସମାଜ ର ମୁଖ୍ୟ ଉପଦେଷ୍ଟା ପ୍ରଫେସର କୁମାରବର ଦାସ ସାରା ବିଶ୍ବର ସବୁ ସମସ୍ୟା ର ସମାଧାନ ଗାନ୍ଧୀ ବିଚାର ରେ ରହିଛି ବୋଲିି ମତପୋଷଣ କରିଛନ୍ତି। ଲୋକସଂଖ୍ୟା ସମସ୍ୟା ନୁହେଁ, ମଣିଷ ପଣିଆ କମିଯିବାରୁ ଲୋକମାନେ ସମାଜ ଉପରେ ବୋଝ ହୋଇଯାଉଛନ୍ତି ବୋଲି ପ୍ରଫେସର ଦାସ ସୂଚାଇ ଦେଇଥିଲେ। ହିଂସା, ଯୁଦ୍ଧ, ଘୃଣା, ପ୍ରଦୂଷଣ, ମାଦକ ଦ୍ରବ୍ୟ, ଅନ୍ଧବିଶ୍ୱାସ ଭଳି ନକରାତ୍ମକ କାର୍ଯ୍ୟକୁ ବନ୍ଦ କରି ଆମକୁ ନୂଆ ପିଢି ଓ ସାରା ସମାଜ ପାଖରେ ସୁବିଚାର, ଶାନ୍ତି, ପ୍ରେମ, ଭାଇଚାରା, ସମୃଦ୍ଧି, ସୁନ୍ଦର ପରିବେଶ ଓ ମିଳିମିଶି ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବାକୁ ପଡ଼ିବ ବୋଲି ବିକଳ୍ପ ସମାଜ ର ସାଧାରଣ ସମ୍ପାଦକ ନିରାକାର ବେଉରା ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଶ୍ରୀକାନ୍ତ ଦାସ, ଯୋଗାଚାର୍ଯ୍ୟ କୁଳମଣୀ, ଉପସଭାପତି ନୀରଦ ବରଣ ଖୁଣ୍ଟିଆ, ମାଧବାନନ୍ଦ ବେହେରା, ସହ ସଂପାଦକ କନକ ଲତା ଭଞ୍ଜ, ଦ୍ୟୁତିକୃଷ୍ନ ନାୟକ, ବରିଷ୍ଠ ସଦସ୍ୟ ରୀନାରାଣୀ ଦାସ, ବିଷ୍ଣୁ ପାତ୍ର, ମନୋଜ ବାରିକ,ଅମୀର ପ୍ରସାଦ ସାହୁ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ବିକଳ୍ପ ସମାଜ ଗଠନର ବିଭିନ୍ନ ଗୁଣାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ। ୩୦ଟି ଜିଲ୍ଲା ରେ ବିକଳ୍ପ ସମାଜ ର ଶାଖା ସୃଷ୍ଟି, ସ୍କୁଲ କଲେଜ ମାନଙ୍କରେ ବିକଳ୍ପ ବିଚାର ର ଉପସ୍ଥାପନା, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ମାନଙ୍କୁ ନେଇ ବିଚାର କର୍ମଶାଳା, ବୈଚାରିକ ପତ୍ରିକା ଓ ପୁସ୍ତକ ପ୍ରକାଶନ କରାଯାଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଅଭୟ ଦାସ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି। ଶେଷରେ ବିକଳ୍ପ ବିଶ୍ବ ନିର୍ମାଣ ପାଇଁ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଉପସଭାପତି ନୀରଦ ବରଣ ଖୁଣ୍ଟିଆ।