ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଠାରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋକପାତ କରାଯାଇଥିବା ବେଳେ ସରକାରଙ୍କ ନିକଟରେ କିଛି ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତି ନିଆଯାଇଛି ।
କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ ରେଷ୍ଟୁରାଣ୍ଟରେ କୋଭିଡ ଗାଇଡଲାଇନ ପାଳନ କରାଯିବାକୁ ନିଷ୍ପତି ହୋଇଛି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଯେଉଁ ନୂଆ ଗାଇଡଲାଇନ ଆସିବ ତାହାକୁ ମଧ୍ୟ ସମସ୍ତେ ପାଳନ କରିବାକୁ ସ୍ଥିର ହୋଇଛି । ଏମିତିକି ନୋ ମାସ୍କ, ନୋ ଏଣ୍ଟ୍ରି ମଧ୍ୟ କରାଯିବ । ତା ସହିତ ସାମାଜିକ ଦୂରତା ଦିଗରେ ରେଷ୍ଟୁରାଣ୍ଟ ମାଲିକ ମାନେ ଧ୍ୟାନ ଦେବେ । ଅନ୍ୟପଟେ ରେଷ୍ଟୁରାଣ୍ଟ ଉପରେ ପାଖାପାଖି ୫ହଜାରରୁ ଉର୍ଦ୍ଧ୍ୱ ପରିବାର ପ୍ରତିପୋଷଣ ପାଇଁ ନିର୍ଭରଶୀଳ ଥିବାରୁ ଚଳିତ କୋଭିଡ ସଂକ୍ରମଣ ସମୟରେ ସଟ୍ ଡାଉନ ନିଷ୍ପତି ନନେବାକୁ ସରକାରଙ୍କୁ ଅନୁରୋଧ କରିଛି ସଂଘ । ବିଧିବଦ୍ଧ ଭାବେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ କୋଭିଡ ମୁକାବିଲା ଦିଗରେ ସରକାର ପଦକ୍ଷେପ ନେବାକୁ ସଂଘ କହିଛି । ଗତଥର ଭଳି ଲକ୍ ଡାଉନ ଓ ସଟ୍ ଡାଉନ କରାଗଲେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହେବେ ବୋଲି କହି ସରକାରଙ୍କ ସହଯୋଗ ଲୋଡିଛି ରେଷ୍ଟୁରାଣ୍ଟ ଆସୋସିଏସନ ।
ଏଥିସହହିତ ସମସ୍ତ ରେଷ୍ଟୁରାଣ୍ଟରେ ସତେଜ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ନେଇ ଆଲୋଚନା ହୋଇଥିଲା । ଖାଦ୍ୟ ଓ ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ସ୍ଥିର ହୋଇଛି । ସମସ୍ତ ରେଷ୍ଟୁରାଣ୍ଟରେ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ଉପଲବ୍ଧ କରାଇବାକୁ ନିଷ୍ପତି ନିଆଯାଇଛି । ସ୍କିଲ ଓଡିଶା ସହ ହାତ ମିଳାଇ ଓଡିଶାରେ ଓଡିଆଙ୍କୁ ନିଯୁକ୍ତି ଦେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହସପିଟାଲିଟି କ୍ଷେତ୍ରରେ ଓଡିଆ ପିଲାଙ୍କୁ ନିଯୁକ୍ତି ନେଇ ପ୍ରାଥମିକତା ଦେବାକୁ ସ୍ଥିରୀକୃତ ହୋଇଛି । ଏହି ବୈଠକରେ ସଭାପତି ରାଜୀବ ସ୍ୱାଇଁ, ଉପସଭାପତି ସମୀର ହଂସ ଓ ସମ୍ପାଦକ ଏମ ତେଜେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।