ପୁଣି ୩ ଆତଙ୍କବାଦୀ ନିପାତ
ଶ୍ରୀନଗର: ଘାଟିରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଶୋପିଆନ୍ର ଦ୍ରାଚରେ ହୋଇଥିବା ଏହି ଗୁଳିବିନିମୟରେ ସେନା ଗୁଳିରେ ୩ ଆତଙ୍କବାଦୀ ସଫା ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ମୃତ ଆତଙ୍କବାଦୀମାନେ ଜୈଶ-ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି।
ନିହତ ଆତଙ୍କବାଦୀ ହାନାନ ବିନ୍ ୟାକୁବ ଏବଂ ଜାମସେଦ ନିକଟରେ ଏସପିଓ ଜାଭେଦ ଦାରଙ୍କ ହୋଇଥିବା ହତ୍ୟାରେ ସମ୍ପୃକ୍ତ ଥିଲେ। ଅକ୍ଟୋବର ୨ରେ ପୁଲୱାମାର ପିଙ୍ଗଲାନାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କୁ ମଧ୍ୟ ପୁଲୱାମାରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ମଧ୍ୟ ଏମାନେ ଜଡିତ ଥିଲେ।
ସେପଟେ ମୁଲୁରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ଜମ୍ମୁକଶ୍ମୀର ଏଡିଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି।