ପୁଣି ଆଉ ଏକ ଫିଲ୍ମକୁ ନେଇ ବିବାଦ, ଅଧାରୁ ବନ୍ଦ ହେଲା ଫିଲ୍ମ

0

ଥାଣେ: ମରାଠୀ ଫିଲ୍ମ ‘ହର ହର ମହାଦେବ’କୁ ନେଇ ମହାରାଷ୍ଟ୍ରର ପୁଣେ ଓ ଥାଣେରେ ପ୍ରବଳ ହଙ୍ଗମା ଦେଖିବାକୁ ମିଳିଛି। ଫିଲ୍ମରେ ମରାଠା ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୋଗ କରି କିଛି ସଂଗଠନର ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି।ସ୍ଥିତିକୁ ଦେଖି ଫିଲ୍ମର ସ୍କ୍ରିନିଂକୁ ଅଧାରୁ ବନ୍ଦ କରି ଦିଆଯାଇଛି। ସେହିପରି ଫିଲ୍ମ ଦେଖିବାକୁ ଯାଇଥିବା ଜଣେ ଦର୍ଶକଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପୁଣେ ସହରରେ ମରାଠା ସଂଗଠନର ସଦସ୍ୟମାନେ ଫିଲ୍ମ ହଲରେ ହଙ୍ଗାମା କରିଥିବା ବେଳେ ଥାଣେରେ ଏନସିପି ନେତା ଜିତେନ୍ଦ୍ର ଅୱାଦଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆନ୍ଦୋଳନ କରିଛନ୍ତି।

ଏନସିପି କର୍ମୀମାନ ଏଠାରେ ଥିବା ଗୋଟିଏ ଫିଲ୍ମରେ ପଶି ଅଧାରୁ ହର ହର ମହାଦେବର ସ୍କ୍ରିନିଂକୁ ବନ୍ଦ କରିଦେଇଛନ୍ତି। ଶୋ’ ବନ୍ଦ ହେବାରୁ ଟିକେଟ ପାଇଁ ଟଙ୍କା ଦେଇଥିବା ଜଣେ ଦର୍ଶକ ଏହାର ଫେରସ୍ତ ଚାହିଁଥିଲେ। ତାଙ୍କର ଏପରି ଦାବିକୁ ବିରୋଧ କରି ଏନସିପି କର୍ମୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଦର୍ଶକଙ୍କୁ ପିଟିବା ଘଟଣାରେ ଥାଣେର ଭର୍ତ୍ତକ ନଗର ପୁଲିସ ଷ୍ଟେସନରେ ଗୋଟିଏ ମାମଲା ରୁଜୁ କରାଯାଇଛି। ମାଡ଼ ଖାଇଥିବା ଦର୍ଶକଙ୍କ ଅଭିଯୋଗ ଆଧାରରେ ପୁଲିସ୍ ୧୦୦ ଜଣ ଏନସିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜିତେନ୍ଦ୍ରଙ୍କ ନାଁ ମଧ୍ୟ ଏଫଆଇଆରରେ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏନସିପି ନେତା ଜିତେନ୍ଦ୍ର ଓ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ହଲରୁ ଚାଲି ଯାଇଥିଲେ। ଏହାପରେ ଏମଏନଏସ୍ ନେତା ଅବିନାଶ ଯାଦବ ଉକ୍ତ ହଲରେ ପହଞ୍ଚିଥିଲେ। ସେ ଶୋ’ ଚାଲୁ କରିବା ସହ ଉପସ୍ଥିତ ରହି ସିନେମା ଦେଖିଛନ୍ତି। ଏବେ ଫିଲ୍ମ ହର ହର ମହାଦେବକୁ ନେଇ ଥାଣେରେ ଏନସିପି ଓ ଏମଏନଏସ ମଧ୍ୟରେ ରାଜନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଏହାର ଗୋଟିଏ ଦିନ ପୂର୍ବରୁ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା କୋଲାହପୁର ରାଜ ପରିବାରର ବଂଶଧର ସମ୍ବାଜୀ ଛତ୍ରପତି ଚେତାବନୀ ଦେଇ କହିଥିଲେ ଯେ ଯଦି କିମ୍ବଦନ୍ତୀ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଆଧାରିତ କୌଣସି ଫିଲ୍ମରେ ତଥ୍ୟକୁ ବିକୃତ କରିବାକୁ ଚେଷ୍ଟା କରାଯାଏ, ତା’ହେଲେ ସେ ଏହାକୁ ବିରୋଧ କରିବେ ଓ ଫିଲ୍ମର ରିଲିଜକୁ ରୋକିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିବେ। ସମ୍ୱାଜୀ ଛତ୍ରପତି ମୁକ୍ତିଲାଭ କରିଥିବା ମରାଠୀ ଫିଲ୍ମ ‘ହର ହର ମହାଦେବ’ ଓ ରିଲଜ ଅପେକ୍ଷାରେ ଥିବା ଆଉ ଗୋଟିଏ ଫିଲ୍ମକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ହର ହର ମହାଦେବର ନିର୍ଦ୍ଦେଶକ ଫିଲ୍ମରେ ଇତିହାସକୁ ବଦଳାଇବା ପାଇଁ କୌଣସି ଚେଷ୍ଟା କରାଯାଇନି ବୋଲି କହିଛନ୍ତି। ବିବାଦ ବଢ଼ୁଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ପୁଲିସ୍ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି। ନିର୍ଦ୍ଦେଶକ ଅଭିଜିତ ଦେଶପାଣ୍ଡେ କହିଛନ୍ତି, ଫିଲ୍ମରେ କୌଣସି ପ୍ରକାରର ତଥ୍ୟଗତ ତ୍ରୁଟି ନାହିଁ।

Leave A Reply

Your email address will not be published.