ଚଣ୍ଡିଗଡ (ଆମ ଟିଭି): ପୁଣି ବିବାଦରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଭଗବନ୍ତ ମାନ୍ଙ୍କୁ ଜର୍ମାନୀର ଫ୍ରାଙ୍କଫୋର୍ଟ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇ ଦେବା ମାମଲା ବଢିବାରେ ଲାଗିଛି । ଶିରୋମଣୀ ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଟ୍ୱିଟ୍ କରି ମାନ୍ ଓ କେଜ୍ରିୱାଲଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ମାମଲା ବିଶ୍ୱରେ ପଞ୍ଜାବୀଙ୍କୁ ବଦନାମ କରିଛି ।
ସେପ୍ଟେମ୍ବର ୧୭ ତାରିଖ ଦିନ ଜର୍ମାନୀରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ଭଗବନ୍ତ ସିଂହ ମାନ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଖବର ଆସିଥିଲା । କିଛି ସହଯାତ୍ରୀ ଏନେଇ ଟ୍ୱିଟ୍ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ଫ୍ରାଙ୍କଫୋର୍ଟ ବିମାନ ବନ୍ଦରରୁ ଲୁଫ୍ଥାଂସା ଏୟାରଲାଇନରେ ମାନ୍ ଦିଲ୍ଲୀ ଆସିବାର ଥିଲା । ବିମାନ ସ୍ଥାନୀୟ ସମୟ ଅନୁସାରେ ଶନିବାର ଦି’ପହର ୧.୪୦ ମିନିଟରେ ଉଡାଣ ଭରିବାର ଥିଲା।
ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ନିଶାରେ ଚୁର୍ ଥିଲେ: ଯାତ୍ରୀଙ୍କ ଅଭିଯୋଗ
ଭଗବନ୍ତ ମାନ୍ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୁସାରେ ଅତ୍ୟଧିକ ମଦ୍ୟପାନ କାରଣରୁ ଚାଲି ପାରୁନଥିଲେ । ତାଙ୍କ ପତ୍ନୀ ଓ ସୁରକ୍ଷାକର୍ମୀ ତାଙ୍କୁ ସାହରା ଦେଉଥିଲେ । ସୁରକ୍ଷାଗତ କାରଣରୁ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ତେବେ ମାନଙ୍କ ଷ୍ଟାଫ୍ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ହଙ୍ଗାମା ହୋଇଥିଲା ବୋଲି ସହଯାତ୍ରୀ କହିଛନ୍ତି ।