ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ଆସନ୍ତା ୩୦ ଏପ୍ରିଲରେ ସଲମାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଫୋନ୍ କଲ ଆସିଛି । ଗତ ସୋମବାର ରାତିରେ ଏଭଳି ଧମକପୂର୍ଣ୍ଣ କଲ୍ ଆସିଥିବା ନେଇ ସୂଚନା ମିଳିଛି । ୧୦ ଏପ୍ରିଲରେ ସଲମାନ ଖାନ୍ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ଟ୍ରେଲର ରିଲିଜ କରିଥିଲେ । ତେବେ ଟ୍ରେଲର ଲଞ୍ଚ ହେବାର କିଛି ସମୟ ମଧ୍ୟରେ ସଲମାନଙ୍କୁ ନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ଫୋନ୍ କଲ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜର ପରିଚୟ ଗୋରକ୍ଷକ ରକି ଭାଇ ବୋଲି କହିବା ସହ ଆସନ୍ତା ୩୦ ଏପ୍ରିଲରେ ସଲମାନ ଖାନକୁ ହତ୍ୟା କରିବୁ । ଆଉ ଏହି କଲ ମିଳିବା କ୍ଷଣି ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।
ସଲମାନଙ୍କୁ ନେଇ ଏଭଳି ହତ୍ୟା ଧମକ ନୁହେଁ । ଗତ ୧୮ ମାର୍ଚ୍ଚରେ ମଧ୍ୟ ସଲମାନଙ୍କ ମ୍ୟାନେଜରଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଯେଉଁଥିରେ ସଲମାନଙ୍କୁ ଧମକ ଦିଆଯାଇଥିଲା । ସଲମାନଙ୍କୁ ହତ୍ୟା କରିବାକୁ ଅନେକଥର ଷଡଯନ୍ତ୍ର ହୋଇଛି । କିନ୍ତୁ ସବୁଥର ଏହି ଷଡଯନ୍ତ୍ର ଫେଲ ମାରିଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ସଲମାନଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରି ଫେଲ୍ ମାରିଥିଲେ । ସଲମାନଙ୍କ ଘର ଓ ଫାର୍ମ ହାଉସର ରେକି ମଧ୍ୟ ହୋଇଥିଲା ।