କୋଲକାତା(ଆମ ଟିଭି): ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜିଏସ୍ଟି ଓ ଅନ୍ୟାନ୍ୟ ଜନ କଲ୍ୟାଣ ଯୋଜନା ବାବଦ ଅର୍ଥ ବେଙ୍ଗଲ ସରକାରକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଉ ନାହାନ୍ତି। ଦୀର୍ଘଦିନ ହେଲା ରାଜ୍ୟର ଅର୍ଥକୁ କେନ୍ଦ୍ର ସରକାର ବକେୟା ରଖିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ବକେୟା ଅର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଗୋଡ଼ ତଳେ ପଡ଼ି ଭିକ ମାଗିବି କି ବୋଲି ମଧ୍ୟ ଦିଦି ପ୍ରଶ୍ନ କରିଛନ୍ତି। ଝରଗ୍ରାମରେ ଆୟୋଜିତ ଗୋଟିଏ ଆଦିବାସୀ ସଂପ୍ରଦାୟର କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “୧୦୦ ଦିନର କାମ ପାଇଁ ଅର୍ଥ ଦେବାକୁ ନିୟମ ବାଧ୍ୟତାମୂଳକ ରହିଛି। ଏଥିସହ ପ୍ରାୟ ବର୍ଷକ ତଳେ ମୁଁ ଦିଲ୍ଲୀ ଯାଇଥିଲି ଓ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି। ତଥାପି କିଛି ବି ଲାଭ ହେଲାନି। କ’ଣ ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ିବି ଓ ଭିକ ମାଗିବି?”
ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, “ଆମେ କ’ଣ ଗୋଟିଏ ଗଣତନ୍ତ୍ରରେ ରହୁଛେ? ନା ଭାରତ ଗୋଟିଏ ପାର୍ଟିର ଦେଶ ହୋଇ ଯାଇଛି? ଆମକୁ ଆମ ପାଉଣା ଦିଆଯାଉ। ସେସବୁ ଆମ ଟଙ୍କା। ଯଦି ଟଙ୍କା ନ ଦେଇ ପାରୁଛ, ତା’ହେଲେ ଜିଏସ୍ଟିକୁ ରଦ୍ଦ କର। ୧୦୦ ଦିନର କାମ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ନଚେତ ଚୌକି ଛାଡ଼ି ଦିଅ। ସେମାନେ ବେଙ୍ଗଲକୁ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ଧମକ ଦେଉଛନ୍ତି। ଆମେ ତା’ହେଲେ ଜିଏସଟି ବନ୍ଦ କରିଦେବୁ। ଆପଣ ଏଠାରୁ ଟିକସ ଆଦାୟ କରିପାରିବେ ନାହିଁ। ଆପଣ ଲୋକମାନଙ୍କ ଟିକସ ନେଉଛନ୍ତି। କିନ୍ତୁ ବେଙ୍ଗଲବାସୀଙ୍କୁ ତାଙ୍କ ହକର ଅର୍ଥ ଦେବାକୁ ମନା କରୁଛନ୍ତି।”