ପୁଣି ମହଙ୍ଗା ହେବ ଋଣ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଝଟ୍‌କା। ପୁଣି ବଢ଼ିଲା ରେପୋ ରେଟ୍‌। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ତଥା ୦.୨୫ ପ୍ରତିଶତ ବୃଦ୍ଧି କରିଛି। ଏନେଇ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ରେଟ୍‌ ବଢ଼ିବା ଦ୍ୱାରା ସମସ୍ତ ପ୍ରକାର ଲୋନ୍‌ ତଥା ଋଣ ମହଙ୍ଗା ହୋଇଯିବ ବୋଲି କୁହାଯାଉଛି।

ଦେଶରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିବାକୁ ଘୋଷଣା କରିଛି। ଏବେ ରେପୋ ରେଟ୍‌ ୬.୨୫% ରୁ ୬.୫୦%କୁ ବୃଦ୍ଧି ପାଇଛି। ଏହାର ଅର୍ଥ ଘର ଠାରୁ ଆରମ୍ଭ କରି ଅଟୋ ଏବଂ ବ୍ୟକ୍ତିଗତ ଋଣ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବ। ସାଧାରଣ ନାଗରିକଙ୍କୁ ଅଧିକ EMI ଦେବାକୁ ପଡିବ।

ଦେଶର ସାଧାରଣ ବଜେଟ ଉପସ୍ଥାପନା ପରେ ଆଜି ଆରବିଆଇ ଏମପିସିର ବୈଠକ ବସିଥିଲା। ବୈଠକ ପରେ ରେପୋ ରେଟ୍‌ ବୃଦ୍ଧି କରାଯାଇଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ନିଷ୍ପତ୍ତି ନେଇଛନ୍ତି। ଫଳରେ ଆର୍‌ବିଆଇର ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଝଟ୍‌କା ଦେଇଛି।

ଏହାପୂର୍ବରୁ ଗତବର୍ଷ ଡିସେମ୍ବର ମାସର ଏମ୍‌ପିସି ବୈଠକ ପରେ ରେପୋ ରେଟ୍‌କୁ ୩୫ ବେସିସି ପଏଣ୍ଟ ତଥା ୫.୯୦%ରୁ ୬.୨୫%କୁ ବୃଦ୍ଧି କରାଯାଇଥିଲା। ସେହିପରି ସେପ୍ଟେମ୍ବର ୨୦୨୨ରେ ୫୦ ବେସିସ୍‌ ପଏଣ୍ଟ, ଅଗଷ୍ଟ ୨୦୦୨ରେ ୫୦ ବେସିସ୍‌ ପଏଣ୍ଟ ଜୁନ୍‌ରେ ୫୦. ଓ ମେ’ ମାସରେ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.