କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗ ରାଜନୀତିକୁ ନେଇ ଏବେ ବେଶ୍ ଚର୍ଚ୍ଚା । କାରଣ କେତେବେଳେ ମମତା ବାନାର୍ଜୀଙ୍କ ବୟାନ ଶିରୋନାମା ପାଲଟିଥାଏ ତ କେତେବେଳେ ମିଥୁନ ଚକ୍ରବର୍ତୀ କିମ୍ବା ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନ ହଇଚଇ ସୃଷ୍ଟି କରିଥାଏ । ଏହାରି ଭିତରେ ଦାଦା ଓ ଦିଦିଙ୍କ ମଧ୍ୟରେ ସାକ୍ଷାତ ବେଙ୍ଗଲ ରାଜନୀତିକୁ ଆହୁରି ସରଗରମ କରିଛି । ନିକଟରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ରାଜ୍ୟ ସଚିବାଳୟରେ ୩୦ ମିନିଟର ଏହି ବୈଠକର ତାତ୍ପର୍ୟ୍ୟ କ’ଣ, ତାହା ଜଣାପଡ଼ିନାହିଁ । କିନ୍ତୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଏହାରି ଭିତରେ ଚଳିତ ବର୍ଷ ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ହେବାକୁଯାଉଛି, ଏଭଳି ସ୍ଥିତିରେ ଗାଙ୍ଗୁଲି ବଡ଼ ଚେହେରା ସାବ୍ୟସ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅର୍ଥାତ୍ କ୍ରିକେଟ୍ ପରେ ଦାଦା ରାଜନୀତିରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଗାଙ୍ଗୁଲି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହା ଥିଲା ଦ୍ୱିତୀୟ ବୈଠକ । ଏହା ପୂର୍ବରୁ ବେଙ୍ଗଲ ଫିଲ୍ମ ଫେଷ୍ଟିଭାଲ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ମଧ୍ୟ ମମତାଙ୍କ ସହ ଦାଦାଙ୍କୁ ଏକାଠି ମଂଚରେ ଦେଖିବାକୁ ମିଳିଥିଲା ।