ପୁଣି ବିମାନରେ ପରିସ୍ରା କରି ବନ୍ଧା ହେଲେ ଯାତ୍ରୀ

0

ନୂଆଦିଲ୍ଲୀ :ପୁଣି ଥରେ ବିମାନରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରକୁ ପରିସ୍ରା କରିବା ଘଟଣା ସାମନାକୁ ଆସିଛି। ଏପରି ଘଟଣା ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଗିରଫ କରି ଦିଆଯାଇଛି। ସୂତ୍ର ମୁତାବକ, ଆମେରିକା ଏୟାରଲାଇନ୍ସର AA-292 ନଂ ଫ୍ଲାଇଟ୍‌ ଗତକାଲି ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା। ଉକ୍ତ ଫ୍ଲାଇଟ୍‌ରେ ଆସୁଥିବା ଜଣେ ଭାରତୀୟ ନିଜ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଜଣାଯାଇଛି। ଏନେଇ ପୀଡ଼ିତଜଣକ ଫ୍ଲାଇଟ୍‌ର କ୍ରୁ ମେମ୍ବରଙ୍କୁ ଅବଗତ କରିଥିଲେ।

ବିମାନ ଅବତରଣ ପୂର୍ବରୁ ଏ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ଫଳରେ ବିମାନ ଅବତରଣ ପରେ ପୁଲିସ୍‌ ସଙ୍ଗେସଙ୍ଗେ ଅଭିଯୁକ୍ତଙ୍କ ସମେତ ପୀଡ଼ିତଙ୍କୁ ବି ଥାନାକୁ ନେଇଥିଲା। ସେଠାରେ ପୀଡ଼ିତଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଫ୍ଲାଇଟ୍‌ରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ଏହାପରେ ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।ବାରମ୍ବାର ଫ୍ଲାଇଟ୍‌ରେ ଏପରି ଘଟଣା ଘଟୁଥିବା ବେଳେ ଏହା ବନ୍ଦ ହେବା ନାଁ ଧରୁନି ।

Leave A Reply

Your email address will not be published.