ପୁଣି ଇମ୍ରାନଙ୍କୁ ଗିରଫ କରିବାରେ ବିଫଳ ହେଲା ପୁଲିସ
ନୂଆଦିଲ୍ଲୀ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗିରଫ କରିବାକୁ ନେଇ ଚାଲିଛି ଛକପଞ୍ଝା। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘର ଆଗରେ ଡେରା ଜମାଇଛି। ଏହାରି ଭିତରେ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆଜି ମଧ୍ୟ ତାଙ୍କ ଗିରଫଦାରୀକୁ ବିରୋଧ ଜାରି ରହିଛି। ଜମାନ ପାର୍କ ସ୍ଥିତ ଇମ୍ରାନଙ୍କ ଘର ନିକଟରେ ପିଟିଆଇ ସମର୍ଥକ ଓ ପୁଲିସ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଆଜି ବି ପୁଲିସ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଛି।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ତୋସାଖାନା ମାମଲାରେ ପୁଲିସ ଆଜି ଭୋରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା ପୁଲିସ। ସେପଟେ ଏବେ ଇମ୍ରାନ୍ ମାର୍ଚ୍ଚ ୧୮ ତାରିଖରେ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି। ଏନେଇ ଲାହୋର ହାଇକୋର୍ଟର ବାର୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଗତକାଲି ରାତିରେ ତାଙ୍କୁ ଗିରଫ କରିବାକୁ ପୁଲିସ୍ ପହଞ୍ଚିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟ ହୋଇଥିଲା। ଇମ୍ରାନଙ୍କ ସମର୍ଥକ ପୁଲିସ୍ ଉପରକୁ ଟେକା ପଥର ମାଡ଼ କରିଥିବା ବେଳେ ପୁଲିସ୍ ଭିଡ଼କୁ ଘଉଡ଼ାବାକୁ ପାଣି ସ୍ପ୍ରେ କରିଥିଲା।