ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ୱାନ ରାଙ୍କ ୱାନ ପେନସନ (ଓଆରଓପି) ମାମଲାର ଶୁଣାଣି କରୁଥିବା ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ସବୁ ପ୍ରସଙ୍ଗରେ ବନ୍ଦ ଲଫାପାରେ ନିଜର ଜବାବ ରଖୁଥିବାରୁ ଏହାକୁ ନାସନ୍ଦ କରିଛନ୍ତି ସିଜେଆଇ। ଏଥିସହ ବନ୍ଦ ଲଫାପା ବ୍ୟବସ୍ଥା ବନ୍ଦ କରାଯିବା ସପକ୍ଷରେ ମତ ରଖିଛନ୍ତି।
ଆଜି ଓଆରଓପି ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ ପ୍ରତିରକ୍ଷା ମନ୍ତ୍ରଣାଳୟର ଜବାବକୁ ବନ୍ଦ ଲଫାପାରେ ଦାଖଲ କରିଥିବା ବେଳେ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନାହାନ୍ତି। ବନ୍ଦ ଲଫାପାକୁ ଗ୍ରହଣ ନ କରି ସିଜେଆଇ ଏହାକୁ କୋର୍ଟ ଭିତରେ ପଢ଼ିବାକୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ କହିଛନ୍ତି।
ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଆମେ କୌରଣସି ପ୍ରକାରର ଗୁପ୍ତ କିମ୍ବା ବନ୍ଦ ଲଫାପା ଗ୍ରହଣ କରିବୁ ନାହିଁ। ଏଥିପ୍ରତି ମୋର ବ୍ୟକ୍ତିଗତ ବିରୋଧ ରହିଛି। କୋର୍ଟରେ ଯେମିତି ହେଲେ ସ୍ୱଚ୍ଛତା ରହିବା ଦରକାର। ଏହା ନିର୍ଦ୍ଦେଶକୁ ପାଳନ କରିବାର ପ୍ରସଙ୍ଗ। ଏଥିରେ ଗୁପ୍ତତା କ’ଣ ରହିଛି? ବନ୍ଦ ଲଫାପା ବ୍ୟବସ୍ଥା ଯେମିତି ହେଲେ ବନ୍ଦ ହେବା ଦରକାର। ଯଦି ସୁପ୍ରିମକୋର୍ଟ ଏହାକୁ ଅନୁସରଣ କରିବେ, ତା’ହେଲେ ହାଇକୋର୍ଟ ମଧ୍ୟ ସମାନ କାମ କରିବେ।”
ନ୍ୟାୟିକ ନୀତିକୁ ବନ୍ଦ ଲଫାପା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବିରୋଧାଚରଣ କରୁଛି। କୌଣସି ସୂତ୍ର କିମ୍ବା କୌଣସି ଲୋକର ଜୀବନପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରସଙ୍ଗରେ ଏପରି ବ୍ୟବସ୍ଥା(ବନ୍ଦ ଲଫାପା) କୁ କାର୍ଯ୍ୟକାରୀ କରାଯାଇ ପାରିବ ବୋଲି ସିଜେଆଇ କହିଛନ୍ତି।
ଓଆରଓପି ପ୍ରସଙ୍ଗରେ ସରକାରଙ୍କ ସମସ୍ୟାକୁ ସର୍ବୋଚ୍ଚ ଅଦାଲତ ବୁଝିପାରୁଥିବା କହିଥିଲେ ହେଁ ବକେୟା ଅର୍ଥ ଦେବା ପାଇଁ କେନ୍ଦ୍ରର ବ୍ୟବସ୍ଥା ସମ୍ପର୍କରେ ଜାଣିବାକୁ ଚାହୁଁଥିବା କହିଛନ୍ତି। ସିଜେଆଇଙ୍କ କଡ଼ା ଟିପ୍ପଣୀ ଓ ଆଭିମୁଖ୍ୟ ପରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କୋର୍ଟ ମଧ୍ୟରେ ବନ୍ଦ ଲଫାପାରେ ଥିବା ବିଷୟବସ୍ତକୁ ପଢ଼ିଥିଲେ।
ସେ କହିଛନ୍ତି ଯେ ଗୋଟିଏ ଥରରେ ଏତେ ପରିମାଣର ଟଙ୍କା ଦେଲେ ବଜେଟରେ ହୋଇଥିବା ବ୍ୟବସ୍ଥା ବିଗିଡ଼ି ଯିବ। ଉତ୍ସ ସୀମିତ ଓ ଖର୍ଚ୍ଚ ବ୍ୟବସ୍ଥିତ ଭାବେ କରାଯିବା ଦରକାର। ଅର୍ଥ ମନ୍ତ୍ରଣାଳୟ ସବୁ କିଛି ଜଣାଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ ଗୋଟିଏ ଥରରେ ଏତେ ପରିମାଣର ଟଙ୍କାର ବୋଝକୁ ସହ୍ୟ କରାଯାଇ ପାରିବ ନାହିଁ।