ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

0

ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସମଗ୍ର ଦେଶ ଉଠୁଛି ପଡ଼ୁଛି। ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏପରିକି କେନ୍ଦ୍ର ସରକାର ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ।

ମଣିପୁର ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାକୁ ଆଜି ଘୋର ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସଭ୍ୟ ମାନବ ସମାଜରେ ଏପରି ଅସାମାଜିକ କାର୍ଯ୍ୟକଳାପ କେବେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଭାଇରାଲ ହେଉଥିବା ଭିଡିଓ ସମାଜରେ ଘୋର ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ଏହା ସାମ୍ବିଧାନିକ ଅଧିକାରର ବିପର୍ଯ୍ୟୟ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।

ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏପରି ଲଜ୍ଜାଜନକ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଆସନ୍ତା ୨୮ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏଥିସହ ସେ କହିଛନ୍ତି, ସଭ୍ୟ ସମାଜରେ ମହିଳାଙ୍କୁ କେବେ ବି ଦ୍ରବ୍ୟ ହିସାବରେ ବ୍ୟବହାର କରାଯାଇ ପାରିବ ନାହିଁ। ତେଣୁ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ସେ ନେଇ ଟିକିନିଖି ଖବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ ।

Leave A Reply

Your email address will not be published.