ପୁଣି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ‘ଆପ୍‌’ , ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ଅମଲାମାନଙ୍କ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟକୁ କେନ୍ଦ୍ର ସରକାର ଅମାନ୍ୟ କରୁଥିବା କହି ଦିଲ୍ଲୀର ‘ଆପ୍‌’ ସରକାର ଆଜି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ସତ୍ତ୍ବେ କେନ୍ଦ୍ର ସରକାର ଜଣେ ଅମଲାଙ୍କ (ପ୍ରଶାସନିକ ସେବା ଅଧିକାରୀ) ବଦଳିରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ବୋଲି ଦିଲ୍ଲୀ ସରକାର ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ପ୍ରଶାସନିକ ସେବା ନିୟନ୍ତ୍ରଣରେ ଦିଲ୍ଲୀ ସରକାରଙ୍କ କ୍ଷମତା ଅଛି ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଆଦେଶ ଦେବା ପରେ ଏ ଘଟଣା ଘଟିଥିବା ଜଣାପଡ଼ିଛି।
ଖଣ୍ଡପୀଠ ଗଠନ କରି ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ ବୋଲି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି।ଦିଲ୍ଲୀ ସରକାରଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଏ. ଏମ୍‌. ସିଂହୱି ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହଙ୍କ ଖଣ୍ଡପୀଠଙ୍କ ଆଗରେ କହିଲେ ଯେ, ଗତକାଲି ସର୍ବୋଚ୍ଚ ଅଦାଲତ ରାୟ ଦେଲେ ଏବଂ ଆଜି ସେ ରାୟକୁ ଅମାନ୍ୟ କରାଯାଉଛି।

ସମ୍ବିଧାନର ଧାରା ୧୪୧ ଅନୁଯାୟୀ, ଅମାନ୍ୟ କରାଯାଉଥିବା ଅଦାଲତଙ୍କ ଆଦେଶ ମାମଲାକୁ ଖଣ୍ଡପୀଠ ଜରୁରୀକାଳୀନ ଭିତ୍ତିରେ ଶୁଣାଣି କରିବା ଉଚିତ ବୋଲି ସିଂହୱି କହି‌ଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସେମାନ‌େ କହୁଛନ୍ତି ଆମେ କାହାକୁ ବଦଳି କରି ପାରିବୁ ନାହିଁ। ଗତକାଲି ଦିଆ ଯାଇଥିବା ରାୟ ଅମାନ୍ୟ କରାଯାଇଥିବାରୁ ମୁଁ ଅଦାଲତ ଅବମାନନା ମାମଲା ରୁଜୁ କରିପାରିବି। କିନ୍ତୁ, ଏଥିପାଇଁ ସମୟ ନେବି। ତେଣୁ, ଦୟାପୂର୍ବକ ଏହି ମାମଲାକୁ ତାଲିକାଭୁକ୍ତ କରନ୍ତୁ। ସଂଗୃହୀତ ସୂଚନା ଅନୁସାରେ, ଗତକାଲି ସୁପ୍ରିମ୍‌ କୋର୍ଟ ରାୟ ଦେବା ପରେ ଦିଲ୍ଲୀ ସରକାରଙ୍କ ‘ସର୍ଭିସେସ୍‌ ଡିପାର୍ଟମେଣ୍ଟ୍‌’ରୁ ସଚିବ ଆଶିଷ ମୋରେଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ‘ସିଇଓ’ ଏ. କେ. ସିଂହଙ୍କୁ ଅଣାଯିବାକୁ ବିଜ୍ଞପ୍ତି ଜାରି କରାଯାଇଥିଲା।

Leave A Reply

Your email address will not be published.