ଆହୁରି ୩ରୁ ୪ଦିନ ବର୍ଷା
ରାଜ୍ୟରେ ଜାରି ରହିବ ବର୍ଷା । ଆହୁରି ୩ରୁ ୪ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡିଶା ସଂଲଗ୍ନବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୪ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ବିଜୁଳି ଓ ଘଡଘଡି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।
୭ ତାରିଖ ପରଠାରୁ ବର୍ଷାର ପ୍ରଭାବ କମିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ବରଗଡ ଜିଲ୍ଲା ଗାଇସିଲେଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଆଜି ଯାଏଁ ରାଜ୍ୟରେ ୩୦୫.୮ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୨୩୮ ମିମି ଠାରୁ ୨୯ ପ୍ରତିଶତ ଅଧିକ । ୬ ଜିଲ୍ଲାରେ ପ୍ରବଳ ବର୍ଷା ସହ ୧୨ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି। ପୂର୍ବରୁ ଭାରତୀୟ ବିଭାଗ ପକ୍ଷରୁ ଚଳିତ ମୌସୁମୀ ଋତୁରେ ଭଲ ବର୍ଷା ନେଇ ଆକଳନ କରାଯାଇଥିଲା ।