ଓଡିଆ ଚଳଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ଆଉ ଏକ ପ୍ରଭାବଶାଳୀ ଚଳଚିତ୍ର
ଲୋକପ୍ରିୟ ଚଳଚିତ୍ର ନିର୍ମାତା ଅକ୍ଷୟ ପରିଜା ଯିଏ ସବୁବେଳେ ଦର୍ଶକଙ୍କ ମନକୁ ବୁଝି ଓଡିଆ, ବଙ୍ଗାଳୀ , ହିନ୍ଦୀ ଓ ମଲୟାଲମ ଫିଲ୍ମ ଭେଟି ଦେଇଛନ୍ତି । ବର୍ତ୍ତମାନ ସେ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଆଉ ଏକ ବଡ ଖୁସିର ଖବର । ଅଷ୍ଟ୍ରେଲିଆ ଦ୍ବୀପପୁଞ୍ଜ ପାପୁଆ ନ୍ୟୁ ଗିନି ସହିତ ମିଶି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଚଳଚିତ୍ର ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଯାହା ଏବେ ଚର୍ଚ୍ଚା ସାଉଁଟୁଛି ଓ ଅକ୍ଷୟ ପରିଜାଙ୍କ ପାଖକୁ ଛୁଟିଛି ପ୍ରଶଂସା ଓ ଶୁଭେଚ୍ଛାର ସୁଅ । ଏହି ଚଳଚିତ୍ରରେ ସେ ସହଯୋଗି ଭୂମିକା ତୁଳାଇଛନ୍ତି । । ଫିଲ୍ମର ଟାଇଟେଲ ରହିଛି ‘ପାପା ବୁକା’। ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଏକାଧୀକ ଜାତୀୟ ପୁରସ୍କାର ବିଜେତା ଡ଼ ବିଜୁ । ଫିଲ୍ମର ସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପାପୁଆ ନ୍ୟୁ ଗିନି ସରକାର, ଅକ୍ଷୟ ପରିଜା, ପ୍ରସିଦ୍ଧ ତାମିଲ ଫିଲ୍ମ ନିର୍ଦ୍ଦେଶକ ପି.ରଞ୍ଜିତ ଏବଂ ଅଭିନେତା ପ୍ରକାଶ ବେରେ ।
ଏକାଧୀକ ଥର ଜାତୀୟ ପୁରସ୍କାର ତଥା ବହୁଥର ଓଡିଶା ରାଜ୍ୟ ସରକାର ପୁରସ୍କାର ବିଜେତା ଅକ୍ଷୟ ପରିଜା ଖୋଦ ପ୍ରକାଶ କରି କହିଛନ୍ତି ଯେ ସେ ଏହି ଚଳଚିତ୍ର ‘ପାପା ବୁକା’ ପାଇଁ ଦୀର୍ଘ ଦୁଇବର୍ଷ ଧରି ସେ କାମ ଜାରି ରଖିଥିଲେ ଯାହା ଏବେ ସମାପ୍ତ ହୋଇଛି । ଯାହାପାଇଁ ସେ ଖୁବ ଉତ୍ସାହିତ ଓ ଖୁସି ଅଛନ୍ତି ଯେ ପାପୁଆ ନ୍ୟୁ ଗିନିରେ ଫିଲ୍ମର ସମସ୍ତ ସୁଟ୍ ସରିବା ସହିତ ଭାରତରେ ପୁରା ପୋଷ୍ଟ ପ୍ରଡକ୍ସନ କାମ ସଫଳତା ସହିତ ସମାପ୍ତ ହୋଇଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ ଏହି ଚଳଚିତ୍ରଟି ଭବିଷ୍ୟତରେ ବିଭିନ୍ନ ଆନ୍ତର୍ଜାତୀୟ ମହୋତ୍ସବରେ ଖୁବ ପ୍ରଶଂସା ସାଉଁଟିବ । ଫିଲ୍ମର ବିଷୟ ବସ୍ତୁ ଦ୍ବିତୀୟ ବିଶ୍ବଯୁଦ୍ଧରୁ ଆରମ୍ଭ ହୋଇଥିବା ଭାବପ୍ରବଣ ବିଷୟ ଓ ୮ ଦଶନ୍ଧି ହେବ ନିଖୋଜ ଭାରତୀୟ ସେନାଙ୍କ ଉପରେ ଆଧାରିତ ହୋଇଛି ।