ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ବିଦେଶରୁ ଆସିଥିବା ଆଉଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାଁ ଉଦୟ, ଯାହାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ତା’ର ମୃତ୍ୟୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ୧୨ ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ସେଥିମଧ୍ୟରେ ଉଦୟ ମଧ୍ୟ ଥିଲା । ଭେଟେନାରୀ ଟିମ୍ ସୋମବାର ଉଦୟ ମୃତଦେହର ପୋଷ୍ଟମର୍ଟମ କରିବେ ।
ସୂଚନା ଅନୁସାରେ, କୁନୋରେ ଚିତାର ଏହା ଦ୍ୱିତୀୟ ମୃତ୍ୟୁ । ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ପାର୍କରେ ୨୦ ଚିତା ଅଣାଯାଇଥିଲା, ଯେଉଁଥିରୁ ଏବେ ୧୮ ଜୀବିତ ଅଛନ୍ତି । ତେବେ ଭାରତକୁ ଆସିବାର ଦୁଇମାସ ଭିତରେ ଦୁଇଟି ଚିତାର ମୃତ୍ୟୁ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହା ପୂର୍ବରୁ ନାମିବ୍ୟାରୁ ଆସିଥିବା ମାଈ ଚିତା ସାଶା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ମାର୍ଚ୍ଚ ୨୭ ତାରିଖରେ ଆଖି ବୁଜିଥିଲା । ବର୍ତ୍ତମାନ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ମଧ୍ୟ ଆଗାମୀ ଦିନରେ ଏହାର କାରଣ ଜଣାପଡ଼ିବ ।