ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର(ଆମ ଟିଭି): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଆସନ୍ତା ୫  ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା ବା  ଦକ୍ଷିଣ ତାମିଲନାଡୁକୁ ମୁହାଁଇବ ଓ ବର୍ଷା  ହେବ । କିନ୍ତୁ ରାଜ୍ୟ ଉପରେ ଏହାର ସିଧା  ପ୍ରଭାବ ରହିବନି ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି, ଆସନ୍ତା ୪ରୁ ୬ ତାରିଖ ଭିତରେ  ଦକ୍ଷିଣ ଅଭ୍ୟନ୍ତରରେ ରାତି ତାପମାତ୍ରା ୪  ଡିଗ୍ରୀ କମିଯିବ । ଫଳରେ ଶୀତ ବଢ଼ିବ । ୨, ୩ ଓ ୯ ତାରିଖରେ ପାଗ ମେଘୁଆ  ରହିବ । ଉତ୍ତର ଉପକୂଳ ଓ ଅଭ୍ୟନ୍ତରରେ  ୪ରୁ ୬ ତାରିଖ ଭିତରେ ରାତି ତାପମାତ୍ରା  ୪ ଡିଗ୍ରୀ କମିବ । ୯ ତାରିଖରେ ପାଗ  ମେଘୁଆ ରହିବ । କୁହୁଡ଼ି ବି ଦୃଶ୍ୟମାନ  ହୋଇପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ଦିନ ଯାଏ ତାପମାତ୍ରାରେ କିଛି ପରିବର୍ତ୍ତନ ହେବନି । ସୋମବାର ଏ ସବୁ ଅଞ୍ଚଳରେ ପାଗ  ମେଘୁଆ ରହିବା ସହ କୁହୁଡ଼ି ଦେଖାଦେବ ।

ପାଣିପାଗ ବିଭାଗର ଆକଳନ  କହୁଛି, ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି,  କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ  କେନ୍ଦୁଝର ସମେତ ଦକ୍ଷିଣ ଓ ଉପକୂଳ  ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୩  ତାରିଖରେ କୋରାପୁଟ, ମାଲକାନଗିରି,  ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି,  କନ୍ଧମାଳ ଓ ନବରଙ୍ଗପୁରରେ ହାଲୁକା  ବର୍ଷା ହୋଇପାରେ । ୪ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,  କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ  ହାଲୁକା ବର୍ଷା ସମ୍ଭାବନା ଅଛି ।

ରବିବାର କୋରାପୁଟର ରାତି  ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ  ହୋଇଛି । ବୌଦ୍ଧରେ ୧୧.୨ ଓ ନୂଆପଡ଼ା  ଓ କେନ୍ଦ୍ରାପଡ଼ାରେ ୧୪.୪ ଡିଗ୍ରୀ ରେକର୍ଡ  ହୋଇଛି । ମାତ୍ର ୫ଟି ସହରର ତାପମାତ୍ରା  ୧୫ ଡିଗ୍ରୀ ତଳେ ରହିଛି । ଗତ ୨୪ ଘଣ୍ଟାରେ  ନୂଆପଡ଼ାରେ ୧୬.୪ ମିମି, ମୟୂରଭଞ୍ଜ  ଜାମଡ଼ାରେ ୧୫, ସୁନ୍ଦରଗଡ଼ ଲାଠିକଟାରେ  ୧୨, ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ୧୦,  ରାଜଗାଙ୍ଗପୁରରେ ୯.୨ ମିମି ବର୍ଷା ହୋଇଛି।

Leave A Reply

Your email address will not be published.