ହେତୁବାଦୀଙ୍କ ପ୍ରଶ୍ନର ଉତ୍ତର ଦେଲେ, ଧୀରେନ ଶାସ୍ତ୍ରୀ

0

ଭୋପାଳ : ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ହେଉଛନ୍ତି ଜଣେ ଧାର୍ମିକ ପ୍ରବଚକ। ଆଜିକାଲି ସୋସିଆଲ ମିଡ଼ିଆରେ ତାଙ୍କୁ ନେଇ ବହୁତ ଚର୍ଚ୍ଚା। ଶାସ୍ତ୍ରୀ ହେଉଛନ୍ତି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଗଡ଼ ଗାଁରେ ଥିବା ଏକ ହନୁମାନ ମନ୍ଦିରର ମୁଖ୍ୟ ପୂଜକ। ଜାନୁଆରି ୫ରୁ ୧୩ ପର୍ଯ୍ୟନ୍ତ ସେ ଭାଗବତ କଥା ପ୍ରବଚନ ଦେବା ପାଇଁ ନାଗପୁରରେ ଥିଲେ। କିନ୍ତୁ ଦୁଇଦିନ ପୂର୍ବରୁ ସେ ପ୍ରବଚନ ସ୍ଥାନ ଛାଡ଼ି ରାୟପୁର ଚାଲିଗଲେ। ନାଗପୁରରେ ହେତୁବାଦୀମାନେ ତାଙ୍କୁ ସର୍ବସାଧାରଣରେ ଯାଦୁ ଦେଖାଇବାକୁ ଆହ୍ବାନ ଦେଇଥିଲେ। ଏହି ଚାଲେଞ୍ଜର ସମ୍ମୁଖୀନ ହେବାକୁ ଭୟ କରି ସେ ନାଗପୁର ଛାଡ଼ି ପଳାଇଥିବା କୁହାଯାଉଛି। କିନ୍ତୁ ସେ ଏହି ଦାବିକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ବାଗେଶ୍ବର ଧାମରେ ଯଜ୍ଞ ଥିବାରୁ ସେ ତାଙ୍କ କାର୍ଯ୍ୟକ୍ରମକୁ ଦୁଇଦିନ ସଂକ୍ଷିପ୍ତ କରି ପଳାଇ ଆସିଛନ୍ତି।

ଗତ କିଛିବର୍ଷ ହେଲା ମଧ୍ୟପ୍ରଦେଶରେ ବହୁ ଗଡ୍‌ମ୍ୟାନ୍ ଓ ଧର୍ମ ପ୍ରବଚକଙ୍କ ଆବିର୍ଭାବ ହେଲାଣି। ୨୫ ବର୍ଷୀୟ ଶାସ୍ତ୍ରୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟତମ। ସ୍ଥାନୀୟ ଲୋକମାନେ କହନ୍ତି କିଛିବର୍ଷ ତଳେ ସେ ଜଣେ ଅଟୋ ଡ୍ରାଇଭର ଥିଲେ। ବାଗେଶ୍ବର ଧାମ କିଛିବର୍ଷ ତଳେ ଏକ ଛୋଟ ମନ୍ଦିର ଥିଲା। ଶାସ୍ତ୍ରୀଙ୍କ ଯାଦୁ ଫଳରେ ସେହି ମନ୍ଦିରର କଳେବର ଓ ଲୋକପ୍ରିୟତା ବୃଦ୍ଧି ପାଇଛି। ରାସ୍ତାଘାଟ, ହୋଟେଲ ଓ ଦୋକାନବଜାର ଆଦି ଗଢ଼ିଉଠିଛି।

ଶାସ୍ତ୍ରୀଙ୍କ ପାଖକୁ ପ୍ରତିଦିନ ବହୁଲୋକ ଆସନ୍ତି। ସେ ଲୋକଙ୍କ ଅତୀତ କଥା କହିଦେଉଥିବା ବେଳେ ସମସ୍ୟାର ବି ସମାଧାନ କରିଦେଇଥାନ୍ତି। ତାଙ୍କ ପାଖକୁ ବହୁ ନେତାମନ୍ତ୍ରୀଙ୍କ ଧାଡ଼ି ବି ଲାଗୁଛି। ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବି ତାଙ୍କ ଭକ୍ତ। ମନ୍ତ୍ରୀ ତାଙ୍କୁ ସନାତନୀ ବବ୍ବର ଶେର (ହିନ୍ଦୁ ସିଂହ) ବୋଲି କହି ସମ୍ମାନିତ କରିଥାନ୍ତି। ଶାସ୍ତ୍ରୀଙ୍କୁ ଛତରପୁରର କଂଗ୍ରେସ ବିଧାୟକ ଆଲୋକ ଶୁକ୍ଳ ‘ପାଜ୍ଜାନ’ଙ୍କ ଆବି‌ଷ୍କାର ବୋଲି କୁହାଯାଉଥିଲେ ମଧ୍ୟ ସେ ମୂଳତଃ ବିଜେପି-ସମର୍ଥକ।

ଶାସ୍ତ୍ରୀ କହିଛନ୍ତି, ସେ ଚାଲେଞ୍ଜକୁ ଡରି ପଳାଇଆସିବା କଥା ଡାହା ମିଛ। ସେ ନାଗପୁରରେ ଦିବ୍ୟ ଦରବାର (ପ୍ରବଚନ ସଭା) କରୁଥିଲେ। ଯେଉଁମାନେ ତାଙ୍କୁ କିଛି ପଚାରିବା କଥା ସେମାନେ ସେଠିକି ଗଲେନି କାହିଁକି ବୋଲି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.