ଶ୍ରୀଜଗନ୍ନାଥଙ୍କ ନବକଳେବର ଦେଖି ଅନୁଭବ ମହାନ୍ତି ହେଲେ ଭାବ ବିହ୍ଵଳ, କହିଲେ ବଡ଼ ପରଦାରେ ସୁପରଷ୍ଟାର ସ୍ୱୟଂ ଶ୍ରୀଜଗନ୍ନାଥ
ଭୁବନେଶ୍ୱର (ଆମ ଟିଭି): ଶ୍ରୀଜଗନ୍ନାଥଙ୍କ ମହିମା, ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ପାଇଁ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ ଅଣ୍ଟା ଭିଡି ବଡ଼ ପରଦାରେ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥା ବସ୍ତୁକୁ ନେଇ ନିର୍ମାଣ କରିଥିବା ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗିଛି l ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଧର୍ମପତ୍ନୀ ଜାଗ୍ରତୀଙ୍କ ସହିତ ମଧ୍ୟରାତ୍ରୀରେ ଶ୍ରୀଜଗନ୍ନାଥଙ୍କ ନବକଳେବର ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିଥିଲେ l ନବକଳେବର ଟିମ୍ ଏବଂ ଶହ ଶହ ଜଗନ୍ନାଥପ୍ରେମୀ ଦର୍ଶକଙ୍କ ସହିତ ମିଶି ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଦେଖିଥିଲେ l ଆମ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ତଥା ଯିଏ ଆମର ପ୍ରକୃତ ସୁପରଷ୍ଟାର ସ୍ୱୟଂ ଶ୍ରୀ ଜଗନ୍ନାଥଙ୍କୁ ବଡ଼ପରଦାରେ ଦେଖିବାକୁ ମିଳିଲା ବୋଲି ପ୍ରକାଶ କରିଥିଲେ l ଚଳଚ୍ଚିତ୍ରରେ ଯେଉଁ ଚରିତ୍ରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି, ଲାଗୁଥିଲା ସେମାନଙ୍କୁ ଯେମିତି ସ୍ୱୟଂ ଜଗନ୍ନାଥ ଡାକି ଆଣିଛନ୍ତି l ଆମ ମାଟି ତଥା ଆମ ଜାତିର କାହାଣୀକୁ ନେଇ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ସମସ୍ତ ଚଳଚ୍ଚିତ୍ରଗୁଡିକୁ ସମସ୍ତେ ମିଶି ଦେଖିବା ଏବଂ ଉତ୍ସାହିତ କରିବା ଉଚିତ ବୋଲି କହିଥିଲେ l
ସାନଠୁ ବଡ଼ ପର୍ଯ୍ୟନ୍ତ ସମସ୍ତ କଳାକାରଙ୍କୁ ଏକାଠି ବସି ଚଳଚ୍ଚିତ୍ର ଦେଖିବାର ପରମ୍ପରା ନବକଳେବର ଟିମ୍ ଆରମ୍ଭ କରିଛି l
ତେବେ ଓଡ଼ିଶାରେ ୫୦ଟି ପ୍ରେକ୍ଷାଳୟରେ ଫିଲ୍ମ ଚାଲୁଥିବା ବେଳେ ଅନେକ ଦର୍ଶକଙ୍କ ଅଭିଯୋଗ ରହିଛି ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ର ଚାଲୁଥିବା ଯୋଗୁଁ ଅଧିକାଂଶ ଦର୍ଶକ ଅଧିକ ମୂଲ୍ୟର ଟିକେଟ କିଣି ସପରିବାର ଚଳଚ୍ଚିତ୍ର ଦେଖିବା ସମ୍ଭବ ହୋଇପାରୁନାହିଁ l ଭୁବନେଶ୍ବରରେ ମହାରାଜା,ଶ୍ରିୟା କମ୍ପ୍ଲେକ୍ସ ,କେଶରୀ ଭଳି
ଅନେକ ସିଙ୍ଗଲ ସ୍କ୍ରିନ୍ ରହିଛି ଯେଉଁଠି ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ସୁଲଭ ମୂଲ୍ୟ ରେ ଟିକେଟ ମିଳିପାରନ୍ତା ଏବଂ ପୁରା ପରିବାର ତଥା ସବୁ ବର୍ଗର ଦର୍ଶକ ଚଳଚ୍ଚିତ୍ର ଦେଖି ପାରନ୍ତେ l
୨୪ ଘଣ୍ଟାରେ ୧୦୮୦୦ ଟିକେଟ ବିକ୍ରି ହେବା ରେକର୍ଡ ହୋଇଥିଲା ଯାହାକି ସିଙ୍ଗଲ ସ୍କ୍ରିନ୍ ରେ ତାଠୁ ଢେର ଅଧିକ ଟିକେଟ ବିକ୍ରି ହୋଇପାରନ୍ତା ସହ ନୂଆ ରେକର୍ଡ ଏବଂ ସମସ୍ତ ସୁବିଧା ଓ ସୁଲଭ ମୂଲ୍ୟରେ ଦେଖି ପାରନ୍ତେ l ଏଥି ପ୍ରତି ସରକାରଙ୍କ ହସ୍ତକ୍ଷେପ ରହିବାକୁ ଅନେକ ଦର୍ଶକ ସରକାରଙ୍କୁ ନିବେଦନ ଜଣାଇଛନ୍ତି l
ସାଇ ଶ୍ରଦ୍ଧା ଟେଲି ପ୍ରଡକସନ୍ସ ନିବେଦିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା। ଅନ୍ୟତମ ପ୍ରଯୋଜକ ଅଛନ୍ତି ଦିଲ୍ଲୀପ କୁମାର ଜେନା ଓ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଣୟ ଜେଠୀ । ଜଗନ୍ନାଥଙ୍କ ମହିମା ଆଧାରିତ ତଥା ତାରକା ଖଚିତ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବା ପାଇଁ କଳାକାର ଓ ଟେକ୍ନିସିଆନଙ୍କୁ ପ୍ରାୟ ତିନି ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି। ଏଥିରେ ସିଦ୍ଧାନ୍ତ, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଶ୍ରୀତମ, ଅଂଶୁମାନ, ପିଙ୍କି ପ୍ରଧାନ, କୁନା ତ୍ରିପାଠୀ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ସର ଅପା, ରବି ମିଶ୍ର, କେଦାର ମିଶ୍ର, ରତନ ମେହେର, ସାହେବ ସିଂ, ଶଙ୍କର , ପ୍ରିୟଙ୍କା ସାହୁ, ଋଷି ପଟ୍ଟନାୟକ, ଶମ୍ଭୁନାଥ ଖୁଣ୍ଟିଆ ପ୍ରମୁଖ ଅଭିନୟ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟବ୍ରତ ସାହୁ। ଡ. ନିର୍ମଳ ନାୟକଙ୍କ ରଚିତ’ ଜଗତରେ ପାଇବୁନି ଏମିତି ଠାକୁର..’ ଗୀତଟି ବେଶ ଭାଇରାଲ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମଧ୍ୟ ଗୀତ ରଚନା କରିବା ସହିତ ଦୁଇଟି ଗୀତରେ ସଙ୍ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ରହିଛି ମୋଟ ସାତଟି ଗୀତ। ଗୀତଗୁଡିକ ବେଶ ଆକର୍ଷଣୀୟ ହେବା ସହ ଶ୍ରୁତିମଧୁର ହୋଇଛି। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ ଓ ଜିତୁ ରାଉତ।ଚିତ୍ରୋତ୍ତଳନ କରିଛନ୍ତି ଧୃବାନନ୍ଦ ପଣ୍ଡା। ଦୃଶ୍ୟଗୁଡିକ ସୁକୁମାର ମଣିଙ୍କ ଦ୍ୱାରା ସମ୍ପାଦିତ ହୋଇଛି।
ଶ୍ରୀଜଗନ୍ନାଥ ଙ୍କ ନବକଳେବର ଚଳଚ୍ଚିତ୍ରରେ ସମସ୍ତ କଳାକାର ତାଙ୍କର ନିଖୁଣ ଅଭିନୟର ଯାଦୁ ଦେଖାଇଛନ୍ତି l ଆମ ପ୍ରାଣର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନବକଳେବର ଚଳଚ୍ଚିତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଦର୍ଶକ ଶ୍ରୀ ଜଗନ୍ନାଥ ଙ୍କ କଥାବସ୍ତୁକୁ ଜାଣିବା ସହିତ ମନୋରଞ୍ଜନ ପାଇବେ ବୋଲି ନିର୍ଦ୍ଦେଶିକା ବିନି ସାମଲ ଆଶା ପ୍ରକଟ କରିଛନ୍ତି l