ଭୁବନେଶ୍ୱର (ଆମ ଟିଭି): ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ପ୍ରେସମିଟ୍ ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଗତକାଲି ନାଁ ନନେଇ ସଚିବଙ୍କୁ କରିଥିଲେ ଟାର୍ଗେଟ୍ । ଆଜି ବରିଷ୍ଠ ନେତା ଦାମୋଦର ରାଉତ୍ ଅପରାଜିତାଙ୍କ ବୟାନକୁ ନେଇ ସମାଲୋଚନା କରିବା ସହ କରିଛନ୍ତି କଟାକ୍ଷ । ବରିଷ୍ଠ ନେତା ଦାମ ରାଉତ କହିଛନ୍ତି, ଚାକିରୀରେ ଥାଇ ମଧ୍ୟ ରାଜନୀତିକୁ ଆସିବା ପାଇଁ ଚେଷ୍ଟା କରୁଥିଲେ ଅପରାଜିତା ଷଡ଼ଙ୍ଗୀ । ନିଜ ପଦବୀର ଅପବ୍ୟବହାର କରିବା ସହ ସରକାରୀ ଅର୍ଥକୁ କ୍ୟାରିୟର ଗଢ଼ିବା ପାଇଁ ବ୍ୟବହାର କରୁଥିଲେ । ସେ ଭାବୁଛନ୍ତି ଏହା ଅନ୍ୟମାନେ ବି କରିବେ ବୋଲି । କିନ୍ତୁ ଏପରି କିଛି ଘଟୁନି କି ଘଟିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ ।
ଦାମ ରାଉତ୍ ଆହୁରି ମଧ୍ୟ କହିଛନ୍ତି କି, ଭି.କେ ପଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ଏଣୁ ସେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ସବୁକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏହାଫଳରେ ଯୋଜନା ସବୁ ସଫଳ ହେବ । ଏହାକୁ ନେଇ ଅପରାଜିତା ଷଡ଼ଙ୍ଗୀ ବିଚଳିତ ହେଉଛନ୍ତି କାହିଁକି ? ବଜେଟ ପ୍ରଦତ୍ତ ଅର୍ଥ ଖର୍ଚ୍ଚ କରିବାର ଦାୟିତ୍ଵ ଉଭୟ ମନ୍ତ୍ରୀ ଓ ସଚିବଙ୍କର । ବିଭିନ୍ନ ବିଭାଗର ନୂଆ ଯୋଜନା ସବୁକୁ ପ୍ରଶାସନ ଓ ଲୋକଙ୍କ ପାଇଁ ପ୍ରଚାର କରୁଛନ୍ତି । ସେ କୋଉଠି ନଡ଼ିଆ ବାଡେଇକି ଶୁଭ ଦେଉନାହାନ୍ତି କି ଉଦଘାଟନ କରୁନାହାନ୍ତି ବୋଲି ସେ କହିଛନ୍ତି । ଅପରାଜିତା ଷଡ଼ଙ୍ଗୀ ଈର୍ଷା ରେ ଜଳୁଛନ୍ତି । ମାଟି କୁ ନଦେଖି ପାଟି କୁ ଦେଖୁଛନ୍ତି । ଓଡ଼ିଶା ମାଟିରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଓଡ଼ିଶା ପାଇଁ ଲୋକସଭାରେ କିଛି କହୁନାହାନ୍ତି ।