ବଲିଉଡ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ଅବହେଳା? ପ୍ରଶ୍ନ ଉଠାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ*
ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ନିକଟରେ ଦେଇଥିବା ଏକ ସାକ୍ଷାତକାରକୁ ନେଇ ଭାରତୀୟ ସଙ୍ଗୀତ ଜଗତରେ ଭାରି ଚର୍ଚ୍ଚା ଚାଲିଛି। ସେ ଏହି ସାକ୍ଷାତକାରରେ ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ପୁରୁଷ ଓ ମହିଳା କଳାକାରଙ୍କ ମଧ୍ୟରେ ଥିବା ପାତରଅନ୍ତର ବିଷୟରେ ସିଧାସଳଖ ଭାବେ ନିଜର ମତ ପ୍ରକାଶ କରିଛନ୍ତି।
ଶ୍ରେୟା କହିଛନ୍ତି ଯେ, ଯଦି ଆମେ ଆନ୍ତର୍ଜାତୀୟ ମ୍ୟୁଜିକ୍ ଚାର୍ଟ୍ସକୁ ଦେଖିବା, ସେଠାରେ ଟେଲର ସ୍ବିଫ୍ଟ ଏବଂ ରିହାନାଙ୍କ ଭଳି ମହିଳା କଳାକାରମାନେ ସବୁବେଳେ ଟପ୍ ସ୍ଥାନରେ ରହୁଛନ୍ତି। କିନ୍ତୁ ଭାରତରେ ଏଭଳି ପରିସ୍ଥିତି ବହୁତ କମ୍ ଦେଖିବାକୁ ମିଳେ।
ସେ ଆଉ କହିଛନ୍ତି ଯେ, ଭାରତୀୟ ମ୍ୟୁଜିକ୍ ଚାର୍ଟ୍ସରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଅତ୍ୟନ୍ତ କମ୍ ଦେଖାଯାଏ। ଟପ୍ ୧୦ ତ ଦୂରର କଥା, ଟପ୍ ୫୦ ଗୀତରେ ମଧ୍ୟ ମାତ୍ର ୬ ରୁ ୭ଟି ଗୀତ ଏଭଳି ଥାଏ ଯାହାକି ମହିଳା ଗାୟିକାମାନେ ଗାଇଥାନ୍ତି। ଏହା ସ୍ପଷ୍ଟ କରୁଛି ଯେ ଏବେର ସମୟରେ ମହିଳା କଳାକାରମାନେ ପୂର୍ବପରି ସୁଯୋଗ ପାଉନାହାନ୍ତି।
ଶ୍ରେୟା ଏହାକୁ ଏକ ଚିନ୍ତାଜନକ ପରିବର୍ତ୍ତନ ବୋଲି ଉଲ୍ଲେଖ କରି କହିଛନ୍ତି ଯେ, ପୂର୍ବରୁ ଏଭଳି ସ୍ଥିତି ନଥିଲା। ଗତ ୧୦ ବର୍ଷ ଧରି ସେ ଇଣ୍ଡଷ୍ଟ୍ରିରେ ଏକ ପରିବର୍ତ୍ତନ ଦେଖୁଛନ୍ତି। ଏହି ସମୟରେ ନୂତନ ମ୍ୟୁଜିକ୍ ଷ୍ଟାଇଲ୍, ଫ୍ୟୁଜନ ଏବଂ ଟ୍ରେଣ୍ଡ୍ସ ଆସିଥିଲେ ମଧ୍ୟ, ମହିଳା କଣ୍ଠଶିଳ୍ପୀଙ୍କ ପ୍ରତି ଅବସର କମିଥିବା ଦୃଶ୍ୟ ମିଳୁଛି।
ସେମାନଙ୍କ କଥା ଅନୁସାରେ, ଭାରତୀୟ ସଙ୍ଗୀତ ଜଗତରେ ସମାନତା ଆଣିବା ପାଇଁ ମହିଳା କଳାକାରମାନଙ୍କୁ ଅଧିକ ସୁଯୋଗ ଦେବାର ଆବଶ୍ୟକତା ରହିଛି।